ଟଙ୍କାର ଗଦିରେ ଶୋଉଥିଲେ ସରକାରୀ ବାବୁ । ଯାଞ୍ଚ ବେଳେ ଟଙ୍କାର ଗଦି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ହୋସ ଉଡିଲା, ଟଙ୍କା ଗଣିବାକୁ ମଗାଇବାକୁ ପଡିଲା ମେସିନ୍

5,182

ଟଙ୍କାର ଗଦି ଉପରେ ଶୋଉଥିଲେ ସରକାରୀ ବାବୁ । ଏଭଳି ଏକ ଘଟଣା ବିହାରରେ ଦେଖିବାକୁ ମିଳିଛି । ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢାଉ ପରେ ଏହି ଖବର ସାମ୍ନାକୁ ଆସିଛି । ଚଢାଉ ପରେ ଭିଜିଲାନ୍ସ ଅଧିକାରୀଙ୍କୁ ଏତେ ଟଙ୍କା ମିଳିଛି ଯେ ତାହାକୁ ରଖିବା ପାଇଁ ମଧ୍ୟ ଜାଗା ନାହିଁ । ଶନିବାର ଓ ରବିବାର ବ୍ୟାଙ୍କ୍ ବନ୍ଦ ଥିଲେ ମଧ୍ୟ ଏହି ଟଙ୍କା ବ୍ୟାଙ୍କରେ ରଖିବାକୁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ବିହାର ସରକାରରେ ପୂର୍ତ୍ତ ବିଭାଗରେ କାମ କରୁଥିବା ଇଞ୍ଜିନିୟର ସୁରେଶ ପ୍ରସାଦ ଓ କ୍ୟାସିୟର ଶଶିଭୂଷଣ କୁମାରଙ୍କୁ ୧୪ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଥିଲା ଭିଜିଲାନ୍ସ । ରାସ୍ତା କାମର ବିଲ୍ ପାଇଁ କଣ୍ଟ୍ରାକ୍ଟରଙ୍କୁ ୨୮ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ ଇଞ୍ଜିନିୟର । ତେବେ କଣ୍ଟ୍ରାକ୍ଟର ଜଣକ ୧୪ ଲକ୍ଷ ଟଙ୍କା ନେଇ ଇଞ୍ଜିନିୟରଙ୍କ ଘରକୁ ଯାଇଥିଲେ । ଆଉ ଏହି ପୂରା ଘଟଣା ଉପରେ ନଜର ରଖିଥିବା ଭିଜିଲାନ୍ସ ଟିମ୍ ଲାଞ୍ଚ କାରବାର ସମୟରେ ହିଁ ସୁରେଶ ପ୍ରସାଦଙ୍କୁ ଗିରଫ କରିଥିଲା ।

ସୁରେଶ ପ୍ରସାଦଙ୍କୁ ଗିରଫ କରିବା ପରେ ତାଙ୍କ ପୂରା ଘରକୁ ଯାଞ୍ଚ କରିଥିଲା ଭିଜିଲାନ୍ସ । ଯାଞ୍ଚ ସମୟରେ ପ୍ରାୟ ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ଏପରିକି ଏତେ ଟଙ୍କା ଜବତ ହୋଇଥିଲା ଯେ, ଏହାକୁ ଗଣିବା ପାଇଁ ସ୍ୱତନ୍ତ୍ର ଟଙ୍କା ଗଣା ମେସିନ ମଗାଇବାକୁ ପଡିଥିଲା । ଖାସକରି ସୁରେଶ ପ୍ରସାଦଙ୍କ ବିଛଣା ତଳୁ କୋଟିଏରୁ ଅଧିକ ଟଙ୍କା ମିଳିଥିଲା । ଆଉ ଏହି ଟଙ୍କାର ବିଛଣା ଉପରେ ଶୋଉଥିଲେ ସୁରେଶ । ଏହାପୂର୍ବରୁ ବିହାରର କୌଣସି ସରକାରୀ ଅଧିକାରୀଙ୍କ ଘରୁ ଏତେ ଟଙ୍କା ଜବତ କରାଯାଇନାହିଁ । ତେଣୁ ଜବତ ହୋଇଥିବା ଟଙ୍କାକୁ ବ୍ୟାଙ୍କରେ ରଖିବାକୁ ଚେଷ୍ଟା କରାଯାଉଛି ।