ଫସଲ ଉଜାଡି ଦେଲା କାଣ୍ଡବିନ୍ଧା ପୋକ । ଅମଳ ସମୟରେ ନଷ୍ଟ ହୋଇଗଲା ଏକର ଏକର ଫସଲ ।

136

କନକ ବ୍ୟୁରୋ: ଫସଲ ଉଜାଡି ଦେଉଛି କାଣ୍ଡବିନ୍ଧା ପୋକ । ଅମଳ ସମୟରେ ସୁନାର ଫସଲ ନଷ୍ଟ ହେଉଥିବା ଦେଖି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ବାଲେଶ୍ୱର ବସ୍ତା ବ୍ଲକ ବରୁଣଗଡିଆ ଝିଞ୍ଜିପୁରାରେ ଚଳିତ ରବି ଋତୁରେ ପାଖାପାଖି ଶହେ ହେକ୍ଟର ଜମିରେ ଧାନଚାଷ କରାଯାଇଛି । ଗାଁର ୮୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରନ୍ତି । ରବି ଋତୁରେ ଚାଷ କାର୍ଯ୍ୟରେ ଅଧିକ ଖର୍ଚ୍ଚ ହେଉଥିବାରୁ ଲୋକେ ଧାର କରଜ କରି ଚାଷ କରିଛନ୍ତି । ହେଲେ ସେଥିରେ ଦାଉ ସାଧୁଛି ରୋଗ ପୋକ ।

ଏହା କେଉଁ ପ୍ରକାର ରୋଗ ଜଣା ନଥିଲେବି କା଼ଣ୍ଡବିନ୍ଧା ରୋଗ ବା ଷ୍ଟେମ୍ବର ରୋଗ ବୋଲି ମଧ୍ୟ କୁହାଯାଉଛି । ଯାହା ଫଳରେ ଧାନ କେଣ୍ଡା ସବୁ ଶୁଖି ଯାଇ ଫସଲ ନଷ୍ଟ ହେବାରେ ଲାଗିଛି । ଏକର ପିଛା ୨୦ ରୁ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଅମଳର ଆଶା ରଖିଥିଲା ଚାଷୀ । ହେଲେ ଏହି କାଣ୍ଡ ବିନ୍ଧା ପୋକ ସବୁ ଉଜାଡି ଦେଇଛି । ବିଭିନ୍ନ ରାସାୟନିକ ପ୍ରୟୋଗ କରି ମଧ୍ୟ କୌଣସି ଲାଭ ମିଳୁନି ।

ଝିଞ୍ଜିପୁରାରେ ଚଳିତ ରବି ଋତୁରେ ପାଖାପାଖି ଶହେ ହେକ୍ଟର ଜମିରେ ଧାନଚାଷ କରାଯାଇଛି । ହେଲେ କାଣ୍ଡ ବିନ୍ଧାରୁ ନେଇ ଚକଡା ପୋକ ପର୍ଯ୍ୟନ୍ତ ଦାଉ ସାଧୁଛନ୍ତି । ଗ୍ରାମର ପ୍ରାୟ ଲୋକ ଚାଷ ଉପରେ ନିର୍ଭର କରି ଚଳୁଥିବା ବେଳେ ଏବେ ଧାର କରଜ କିଭଳି ସୁଝିବେ ଓ ପରିବାର କିଭଳି ଚଳାଇବେ ସେ ନେଇ ପଡିଛନ୍ତି ଚିନ୍ତାରେ । ଏନେଇ କିଛି ସାହାଯ୍ୟ ଆଶା କରିଛନ୍ତି ଚାଷୀମାନେ । ତେବେ ଅମଳ ସମୟରେ ଚାଷ କ୍ଷତିଗ୍ରସ୍ତ ହେଉଥିବାର କୃଷି ବିଭାଗ ଏହାର ଅନୁଧ୍ୟାନ କରି କ୍ଷତିପୂରଣର ବ୍ୟବସ୍ଥା କରିବା ପାଇଁ ନିବେଦନ କରିଛନ୍ତି ଚାଷୀ ।