ଫସଲ ଉଜାଡ଼ିଦେଲା କାଳବୈଶାଖୀ ବର୍ଷା: ଯାଜପୁରରେ କ୍ଷେତରେ ପାଣି ଭରିଯିବା ପରେ ଜାଲରେ ଚିନାବାଦାମ ଛାଣିନେଲେ ଚାଷୀ

73

କନକ ବ୍ୟୁରୋ: ଫସଲ ଉଜାଡ଼ିଦେଲା କାଳବୈଶାଖୀ ବର୍ଷା । କ୍ଷେତରେ ଗଜା ହେଲା ଚିନାବାଦାମ, ଚାଷୀମୁଣ୍ଡରେ ଚଡକ । ଅଦିନିଆ କାଳବୈଶାଖୀ ବର୍ଷା ଉଜାଡି ଦେଲା ଚାଷୀର ଫସଲ । ଲଗାଣ ବର୍ଷା ଯୋଗୁଁ ନଦୀ କୂଳିଆ ଚାଷୀର ଚିନାବାଦାମ ଫସଲ ନଷ୍ଟ ହେବାକୁ ବସିଛି । ଯାଜପୁର ବ୍ଲକ ନଦୀ କୂଳିଆ ଅଂଚଳ ହୋଇଥିବା ବେଳେ ଖରସ୍ରୋତା ନଦୀ କୂଳରେ ଥିବା ବେରୁଦା, ଭୁଇଁପୁର, ସିମିଳିଆ ପଂଚାୟତର ହଜାର ହଜାର ଚାଷୀ ଚିନାବାଦାମ ଚାଷକୁ ମୁଖ୍ୟ ବେଉସା ଭାବେ ଚାଷ କରିଥାନ୍ତି । କିନ୍ତୁ ଅଦିନିଆ ବର୍ଷା ଯୋଗୁଁ ଏବେ ଚାଷୀଙ୍କ ଫସଲ ନଷ୍ଟ ହେବାକୁ ବସିଛି । କ୍ଷେତରେ ପାଣି ଭରିଯିବା ପରେ ଜାଲରେ ଚିନାବାଦାମ ଛାଣିନେଲେ ଚାଷୀ । କ୍ଷେତ୍ରରେ ଥିବା ଶହଶହହେକ୍ଟର ଅଂଚଳର ଚିନାବାଦାମ ଏବେ ପାଣିରେ ଓଦା ହୋଇଗଜା ଧରିଲାଣି । ବାଦାମ କଳା ପଡି ଯାଉଥିବାବେଳେ ଆଉ ବେପାରୀ ଗ୍ରହଣକରିବେ ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ବେରୁଦା ପଂଚାୟତ ନିତ୍ୟାନନ୍ଦପୁର ଓ ନେଳୀପୁର ଅଂଚଳରେ ହେକ୍ଟର ହେକ୍ଟର ଜମିରେ ଚାଷୀ ଚିନାବାଦାମ ଚାଷ କରିଥିଲେ । ପ୍ରତି ବର୍ଷ ଚାଷୀ ଚିନାବାଦାମରୁ ଭଲ ରୋଜଗାର କରୁଥିବାବେଳେ ଏହି ଚାଷ ହିଁ ପରିବାର ପ୍ରତିପୋଷଣର ମୁଖ୍ୟ ମାଧ୍ୟମ ସାଜିଛି । ଚାଷୀଙ୍କ ଅମଳ ସମୟରେ ବର୍ଷା ଯୋଗୁ ସବୁ ବାଦାମ ଏବେ କ୍ଷେତରେ ପଡି ପାଣିଖାଉଛି । କେଉଁଠାରେ କ୍ଷେତବୁଡି ପାଣି ଛିଡା ହୋଇଥିବାବେଳେ କେଉଁଠାରେ ବାଦାମରେ ଗଜା ଧରିଛି । ଚାଷୀମାନେ ସାହୁକାର, ସମବାୟସମିତି ଓ ବ୍ୟାଙ୍କରୁ ଋଣ ଆଣି ଚାଷକରୁଥିବାବେଳେ ବ୍ୟବସାୟ ପରେ ଋଣ ପରିଶୋଧ କରନ୍ତି । କିନ୍ତୁ ଏହି ବର୍ଷା ଚାଷୀଙ୍କ ୬୦ ଭାଗ ଫସଲ ନଷ୍ଟ କରି ଦେଇଥିବା ବେଳେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି ।