ବୈତରଣୀ ବନ୍ୟାରେ ସଢିଗଲା ପରିବା ଫସଲ : ଯାଜପୁରର ୪ଟି ବ୍ଲକରେ ବନ୍ୟା ଓ ବର୍ଷା ଯୋଗୁଁ ନଷ୍ଟ ହେଲା ହେକ୍ଟର ହେକ୍ଟର ଜମିରେ ଧାନ ଓ ପନିପରିବା ଚାଷ

73

କନକ ବ୍ୟୁରୋ : ବର୍ଷା ଛାଡିଯାଇଛି, ବନ୍ୟା ପାଣି ବି କମିଛି ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି । ବନ୍ୟା ଓ ବର୍ଷା ଯୋଗୁଁ ବିଶେଷ ଭାବେ ପ୍ରଭାବିତ ହୋଇଛି ଚାଷ କ୍ଷେତ । ଧାନ ଠାରୁ ଆରମ୍ଭ କରି ପନିପରିବା ଚାଷ ସବୁ କିଛି ନଷ୍ଟ ହୋଇଯାଇଛି ବନ୍ୟା ପାଣିରେ । ଯାଜପୁର ଜିଲ୍ଲାର ଯାଜପୁର, ବିଂଝାରପୁର, ଦଶରଥପୁର ବ୍ଲକ ବିଶେଷ ଭାବେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଆଜି ବି ଅନେକ ତଳିଆ ଅଂଚଳରେ ବନ୍ୟା ଜଳ ଜମି ରହିଛି । ଫଳରେ ପାଣିରେ ବୁଡି ପଂସଲ ନଷ୍ଟ ହୋଇଛି । ବନ୍ୟା ବିପନ୍ନମାନେ ଚାଷବାସ ହରାଇ ସହାୟତାକୁ ଅପେକ୍ଷା କରିଥିବା ବେଳେ ପ୍ରଶାସନ ସ୍ଥିତି ଆକଳନ କରିବ ବୋଲି ସୂଚନା ମିଳିଛି ।

ବନ୍ୟା ଛାଡିବା ପରେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି । ବୈତରଣୀ ଓ ଏହାର ଶାଖା ନଦୀରେ ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାର ବିଂଝାରପୁର, ଦଶରଥପୁର, ଯାଜପୁର ବ୍ଲକ କ୍ଷତିଗ୍ରସ୍ତ ହୋଇଛି । ଏବେ ବି ଅନେକ ଗାଁରେ ବନ୍ୟା ଜଳ ନିଷ୍କାସନ ହୋଇନପାରି ଜମି ରହିଛି । ଦଶରଥପୁର ବ୍ଲକର ତଳିଆ ଅଂଚଳରେ ପାଣି ଜମି ରହିବାରୁ ପନିପରିବା ଚାଷ ନଷ୍ଟ ହୋଇଛି । ବାଇଗଣ, ପୋଟଣ, ଜହ୍ନି, ଭେଣ୍ଡି ଭଳି ପରିବା ଫସଲ ଗଛରେ ସଢି ଯାଇଥିବା ବେଳେ ଧାନ ବିଲରେ ଆଣଣ୍ଠୁଏ ପାଣି ଠିଆ ହୋଇଛି । ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ଫସଲ କ୍ଷେତକୁ ଦେଖି ହତାସ ହୋଇଯାଇଛି ।

ବର୍ଷା ଓ ବନ୍ୟାରେ ପନିପରିବା ଚାଷ ନଷ୍ଟ ହେବାରୁ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି । ଅନ୍ୟପଟେ କ୍ଷତିଗ୍ରସ୍ତ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ସରକାରଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି । ଜିଲ୍ଲାରେ ବନ୍ୟା ବିପନ୍ନଙ୍କୁ ସହାୟତା ଦେବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ସେପଟେ ଧାନ ତୁଳନାରେ ପନିପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସ୍ୱୀକାର କରିଛନ୍ତି ଜିଲ୍ଲାପାଳ । ପାଣି ଛାଡିବା ପରେ କ୍ଷୟକ୍ଷତି ଆକଳନ କରାଯାଇ ଚାଷୀଙ୍କୁ ସହାୟତା ଦିଆଯିବ ବୋଲି ସେ କହିଛନ୍ତି ।

ବନ୍ୟା ଯୋଗୁଁ ସର୍ବାଧିକ କ୍ଷତି ସହିଛନ୍ତି ଚାଷୀ କୂଳ । ସେଥିପାଇଁ ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୁରଣ ପ୍ରଦାନ କରିବାକୁ ଦାବି ହେଉଛି ।