ଧାନ ବିକ୍ରି ପାଇଁ ରାତି ଅନିଦ୍ରା ହେଲେ ଚାଷୀ ! ରାଜ୍ୟ ବାହାରେ ଧାନ ବିକ୍ରି କରିବାକୁ ମାଗିଲେ ଅନୁମତି

48

କନକ ବ୍ୟୁରୋ : ଖରିଫ ଧାନ ବିକ୍ରି ପାଇଁ ରାତି ଅନିଦ୍ରା ହେଲେ ଚାଷୀ । ଭାବି ଥିଲେ ରବି ଫସଲ ବିକ୍ରି ପାଇଁ ଆଉ ସମସ୍ୟା ଭୋଗିବାକୁ ପଡିବନି । ହେଲେ ଚାଷୀଙ୍କର ସେ ଆଶା ଆଶାର ରହିଯାଇଛି । ଡାଳୁଅ ଧାନ ବିକ୍ରି ପାଇଁ ସମସ୍ୟା ଭୋଗୁଛନ୍ତି ନୁଆପଡାର ଚାଷୀ । ଚାଷୀ ମଣ୍ଡିକୁ ଧାନ ଆଣି ଗଦା କରିଥିବା ବେଳେ ପ୍ରଶାସନ କିଣୁନାହିଁ । ଫଳରେ ଚାଷୀ ପ୍ରଶାସନିକ ଅଧିକାରୀଙ୍କୁ ଘେରାଉ କରି ଧାନକୁ ଛତିଶଗଡରେ ବିକ୍ରି ପାଇଁ ଅନୁମତି ଦାବି କରୁଛନ୍ତି । ନଚେତ ଧାନବସ୍ତା ନେଇ ୩୫୩ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

ନୂଆପଡ଼ା ଜିଲ୍ଲାରେ ଡାଳୁଅ ଧାନ କିଣିବା ପାଇଁ ସରକାର ମଣ୍ଡି କରିଛନ୍ତି । ଯେଉଁ ମଣ୍ଡିରେ ଚାଷୀ ଶହଶହ ବସ୍ତା ଧାନ ଡେରି ଦେଇଛି । ବିକ୍ରି କରିବା ଉଦେଶ୍ୟରେ ଚାଷୀ ଆଣିଥିବା ଧାନ ବସ୍ତା ଖୋଲା ଆକାଶ ତଳେ ପଲିଥିନ୍ ଢଙ୍କା ହୋଇ ରହିଥିବା ବେଳେ ବିକ୍ରି ହୋଇପାରୁନଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ଠାରୁ ରବି ଧାନ କିଣିବା ପାଇଁ ଗତ ୯ ତାରିଖରୁ ସାରାବଙ୍ଗ ମଣ୍ଡି ଖୋଲିଛି । ପ୍ରଥମ ଦିନ ଚାଷୀଙ୍କ ଠାରୁ ୬୦୦ କୁଇଂଟାଲ ଧାନ କିଣା ଯାଇଥିବା ବେଳେ ଏବେ ମଣ୍ଡିରେ ୧ହଜାର ୩ଶହ ୫୮ ଧାନ ବସ୍ତା ବିକ୍ରି ନହୋଇ ପଡିରହିଛି । ବର୍ଷା ଓ କୋହଳପାଗ ଯୋଗୁଁ ମଣ୍ଡିରେ ଧାନ ଗଦା ହୋଇଥିବା ବେଳେ ଚାଷୀ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ।

ଜିଲ୍ଲାର ୧୧ଟି ରାଇସମିଲ ଖରିଫ ଧାନ କିଣାରେ ସାମିଲ ହୋଇଛନ୍ତି । ସାରବଙ୍ଗ ମଣ୍ଡିରୁ ଧାନ କିଣିବା ପାଇଁ ୪ଟି ରାଇସମିଲ ଯଥା ଗୁରୁନାନକ ରାଇସ ମିଲ, ଗୁରୁ ଅମରଦାସ ରାଇସମିଲ, ଶ୍ରୀକ୍ରିଷ୍ଣା ରାଇସମିଲ ଏବଂ ଶ୍ରୀ ନାନୋ ରାଇସ ମିଲ ଅନୁମତି ପାଇଛନ୍ତି । ହେଲେ ଦୁଇ ଦିନ ହେଲା ମଣ୍ଡିରୁ ମିଲର ଧାନ ଉଠାଉନଥିବାରୁ ଚାଷୀ ଧାନକୁ ଛତିଶଗଡରେ ବିକ୍ରି କରିବା ପାଇଁ ଅନୁମତି ଦାବି କରିଛନ୍ତି । ଯଦି ରାଜ୍ୟ ବାହାରେ ଧାନ ବିକ୍ରି ପାଇଁ ଅନୁମତି ନମିଳେ ତେବେ ଧାନ ବସ୍ତା ରଖି ୩୫୩ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।