ଫସଲ ଉଜାଡିଦେଲା ବର୍ଷା: ୧୫ଦିନ ହେବ ଖାଲୁଆ ଜମିରୁ ଶୁଖୁନି ପାଣି, ନଷ୍ଟ ହେବାକୁ ବସିଲାଣି ଫସଲ

59

କନକ ବ୍ୟୁରୋ: ଲଗାଣ ବର୍ଷା, ପୁରୀ ଜିଲ୍ଲା ଅଧିନ ନିମାପଡ଼ା ବ୍ଲକ ୧୦ଟି ପଂଚାୟତରେ ଚାଷ ନଷ୍ଟ କରିଛି । ତମ୍ପାଳୋ, ଛଣିଜଙ୍ଗ, ଭୋଦର, ତେରୁଣ୍ଡିଆ, ବାମନାଳ, ସଲଙ୍ଗ, ଶଗଡ଼ା, ଧନୁଆ, କୋଟକୁସାଙ୍ଗ ପଂଚାୟତରେ ଧାନ ଚାଷ ସଂପୂର୍ଣ୍ଣ ଧୋଇ ଯାଇଛି । ପ୍ରବଳ ବର୍ଷା ଯୋଗୁଁ ଧାନ ଜମିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ୧୫ଦିନ ଧରି ଖାଲୁଆ ଜମିରୁ ପାଣି ନଛାଡିବାରୁ ଗଛ ସବୁ ସଢି ଯାଇଛି । ଯାହା ଯେତିକି ଗଛ ବଂଚିଛି ସେଥିରୁ ଉତ୍ପାଦନ କମିବାର ଆଶଙ୍କା କରି ଚାଷୀ ଗୁମୁରି କାନ୍ଦୁଛନ୍ତି ।

ଚଳିତ ବର୍ଷ ନିମାପଡ଼ା କୃଷି ଜିଲ୍ଲା ଅଧିନ ନିମାପଡ଼ା ଅଂଚଳରେ ୧୯ ହଜାର ୫୦୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଆଷାଢ଼ ଓ ଶ୍ରାବଣରେ ନିଅଂଟିଆ ବର୍ଷା, ଭାଦ୍ରବରେ ଆବଶ୍ୟକତା ଠାରୁ ଅଧିକ ବର୍ଷା, ଧାନ ଚାଷକୁ ପ୍ରଭାବିତ କରିଛି । ଖରିଫ ଚାଷ ବେଳେ ବର୍ଷାର ଲୁଚକାଳି ଖେଳ ଚାଷୀଙ୍କ ପାଇଁ କାଳ ହୋଇଛି ।

ଚାଷୀ, ନିର୍ଦ୍ଧାରିତ ସମୟରେ ଧାନ ରୁଆ କାମ ସାରିଥିଲେ । ବର୍ଷା ଅଭାବରୁ ବିଭିନ୍ନ ଜଳସେଚନ ପ୍ରକଳ୍ପରୁ ପାଣି ଆଣି ଚାଷ କରିଥିଲେ । ଏବେ ଧାନ କେଣ୍ଡା ଧରିବାର ସମୟ । ହେଲେ ଚଳିତ ମାସରେ ଆବଶ୍ୟକତା ଠାରୁ ଅଧିକ ବର୍ଷା ହେବାରୁ ବିଲରେ ପାଣି ଜମି ରହିଛି । ଗଛ ସବୁ ପଚିଯିବା ସହ ଥୋଡ଼ରେ ପାଣି ପସିଯାଇଛି । ଅନିୟମୀତ ବର୍ଷା ଚାଷିକୂଳକୁ ହତାଶ କରିଦେଇଛି ।

ଉଭୟ ରାଜସ୍ୱ ବିଭାଗ ଓ କୃଷି ବିଭାଗର ସମନ୍ୱୟ ଅଭାବରୁ ଚାଷୀ କ୍ଷୟକ୍ଷତି ଆକଳନ ହୋଇନାହିଁ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କ୍ଷୟକ୍ଷତିର ଆକଳନ ଚାଲିଥିବା କହିଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସମୀର ଦାଶ ।