ଆସିଲା ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ରିପୋର୍ଟ ! ୧୯ ଜିଲ୍ଲାରେ ୩ଲକ୍ଷ ୮୪ ହଜାର ହେକ୍ଟର ଜମିରେ ଉଜୁଡି ଯାଇଛି ଫସଲ

38

କନକ ବ୍ୟୁରୋ: ରାଜ୍ୟରେ ଅଦିନିଆ ବର୍ଷା ଜନିତ ଫସଲହାନୀ ରିପୋର୍ଟ ଆସିଛି । ୩୦ଟି ଜିଲ୍ଲାର ଜିଲ୍ଲାପାଳ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ମୋଟ ୧୯ଟି ଜିଲ୍ଲାର ୧୩୫ ବ୍ଲକ ଅଦିନିଆ ବର୍ଷାରେ ପ୍ରଭାବିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ୨ ହଜାର ୪ଶହ ୫୩ଟି ପଂଚାୟତ ଓ ୩୫ ପୌଚାଂଚଳରେ ଫସଲ କ୍ଷୟକ୍ଷତି ହୋଇଛି । ୩ଲକ୍ଷ ୮୪ ହଜାର ହେକ୍ଟର ଚାଷଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ହାନୀ ଘଟିଛି ।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଂଜ, ନବରଙ୍ଗପୁର, ନୟାଗଡ, ପୁରୀ ଓ ରାୟଗଡା ଏହିଭଳି ୧୯ଟି ଜିଲ୍ଲାରେ ବର୍ଷା ଜନିତ ଫସଲ ହାନି ଘଟିଛି । ସଂପୃକ୍ତ ଜିଲ୍ଲା ଅନ୍ତର୍ଗତ ୧୩୫ଟି ବ୍ଲକ, ୨୪୫୩ ପଞ୍ଚାୟତ ଓ ୩୫ଟି ପୌରାଞ୍ଚଳର ୧୬୧ଟି ଓ୍ଵାର୍ଡରେ ଚାଷୀ ଘୋର କ୍ଷତିଗ୍ରସ୍ତ ହୋଇଛନ୍ତି । ପାଖାପାଖି ୩ଲକ୍ଷ ୬୮ ହଜାର ହେକ୍ଟର ଜମିରେ ଧାନ ଫସଲ ଓ ୧୫ ହଜାର ୯୪୭ ହେକ୍ଟର ଜମିରେ ଅଣଧାନ ଫସଲ ବରବାଦ ହୋଇଥିବା ପ୍ରାରମ୍ଭିକ ହିସାବରୁ ସୂଚନା ମିଳୁଛି । ଅଣଜଳସେଚିତ ଜମିରେ ସବୁଠାରୁ ଅଧିକ କ୍ଷତି ଘଟିଛି ।

ଜିଲ୍ଲାଓ୍ଵାରୀ ହିସାବ କଲେ, ବର୍ଷା କାରଣରୁ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ୯୭ ହଜାର ୨୩୩ ହେକ୍ଟର ଜମିରେ ଫସଲ ହାନି ଘଟିଛି । ଏହା ପଛକୁ ରହିଛି କେନ୍ଦ୍ରାପଡା। ଏଠାରେ ୭୨ ହଜାର ୩୨୨ ହେକ୍ଟର ଜମିରେ ଚାଷ ନଷ୍ଟ ଘଟିଛି। ପୁରୀରେ ୩୯ ହଜାର ୯୫୨ ହେକ୍ଟର, ନୟାଗଡରେ ୨୪ ହଜାର ୭୯୨ ହେକ୍ଟର, ଖୋର୍ଦ୍ଧାରେ ୩୯ ହଜାର ୫୦୩ ହେକ୍ଟର, ଯାଜପୁରରେ ୪୯ ହଜାର ୨୯୮ ହେକ୍ଟର, ଭଦ୍ରକ ଜିଲ୍ଲାରେ ୩୧ ହଜାର ୦୪୯ ହେକ୍ଟର ଜମିରେ ଉଭୟ ଧାନ ଓ ଅଣଧାନ ଫସଲ ପ୍ରଭାବିତ ହୋଇଛି । ନବରଙ୍ଗପୁର ଜିଲ୍ଲାରେ ସବୁଠାରୁ କମ୍ ୩ଲକ୍ଷ ୬୪ ହଜାର ହେକ୍ଟର ଜମିର ଚାଷ ନଷ୍ଟ ହୋଇଛି । ୧୧ଟି ଜିଲ୍ଲାରେ କୌଣସି ଫସଲ ହାନି ଘଟିନାହିଁ ବୋଲି ଜିଲ୍ଲାପାଳମାନେ କହିଛନ୍ତି ।

ପୂର୍ବରୁ ମରୁଡ଼ି କାରଣରୁ ରାଜ୍ୟରେ ହାରାହାରି ୩ ଲକ୍ଷ ୧୫ ହଜାର ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ହାନି ହୋଇଥିବା ନେଇ ସରକାର ଘୋଷଣା କରିଥିଲେ। ସେହିପରି ଚକଡ଼ା ଆଦି ପୋକ ଲାଗି ୨୪ଟି ଜିଲ୍ଲାର ୧୫୦ ବ୍ଲକ ଓ ୩୫ ପୌରାଞ୍ଚଳ ଅନ୍ତର୍ଗତ ୧ ଲକ୍ଷ ୨୮ ହଜାର ୩ ଶହ ୧୮ ହେକ୍ଟର ଜମିର ଚାଷ ୩୩ ପ୍ରତିଶତରୁ ଅଧିକ ନଷ୍ଟ ହୋଇଥିବା କୁହାଯାଇଥିଲା । ହେଲେ ଅଦିନିଆ ବର୍ଷା ଜନିତ କ୍ଷତି ଏସବୁକୁ ଟପିଯାଇଛି ।