ଫସଲ ଉଜାଡି ଦେଲା କୁଆପଥର ବର୍ଷା : କୋରାପୁଟର ବୈପାରୀଗୁଡା ଓ ଜୟପୁର ବ୍ଲକର ହଜାର ହଜାର ଏକର ଜମିର ପାଚିଲା ଧାନ ହେଲା ନଷ୍ଟ

113

କନକ ବ୍ୟୁରୋ : ଚାଷୀଙ୍କ ପାଇଁ କାଳ ହେଲା କୁଆପଥର । ବିଲରେ ଝଡ଼ିଗଲା ପାଚିଲା ଧାନ । ହଜାର ଏକର ଅମଳକ୍ଷମ ଧାନ ଫସଲ ନଷ୍ଟ ହୋଇଛି । ବିଲରେ ହଳଦିଆ ଧାନ ଗଛ ଠିଆ ହୋଇଥିବାବେଳେ କେଣ୍ଡାରୁ ଧାନ ଝଡ଼ି ତଳେ ପଡିଛି । ଯାହାକୁ ଦେଖି ଚିନ୍ତାରେ ପଡିଛନ୍ତି ଚାଷୀ ।

ଗତ ୩ ଦିନ ହେଲାଣି କୋରାପୁଟରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିଛି । କୁଆପଥର ବର୍ଷା ଯୋଗୁଁ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । କୁଆପଥର ମାଡରେ କେଣ୍ଡାରୁ ଧାନ ଝଡ଼ି ପଡିଛି । ବୋରିଗୁମା ବ୍ଳକ ସମେତ ଜୟପୁର ବ୍ଳକର ବାଲାପୁଟ, ଛତଲିପୁଟ, ବୈରାଗି ମଠ, ମୁଳାସର, କନ୍ଧଗୁଡ଼ା, କୁମୁଲିପୁଟ, ହରଡ଼ାପୁଟ, ଆମ୍ବାଗୁଡ଼ା, ଚାରଗାଁ, ମିନାଗୁଡ଼ା, ଜୟନ୍ତଗିରିରେ ହଜାର ଏକରରୁ ଅଧିକା ଜମିରେ ପାଚିଲା ଧାନ କେଣ୍ଡାରୁ ଝଡ଼ି ପଡ଼ିଛି । ଉଜୁଡା କ୍ଷେତକୁ ଦେଖି ଋଣ କରି ରବି ଚାଷ କରିଥିବା ଚାଷୀ ଚିନ୍ତାରେ ପଡିଛନ୍ତି ।

କାଳବୈଶାଖୀ କୁଆପଥର ବର୍ଷାରେ ଅମଳ କ୍ଷମ ଧାନ ନଷ୍ଟ ହେବା ପରେ ଚାଷୀ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି । ସେପଟେ ରାଜସ୍ୱ ବିଭାଗ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେଲେ ସହାୟତା ଦିଆଯିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ।

ପ୍ରକୃତି ଦାଉ ସାଧୁଥିବା ବେଳେ ଚାଷୀ ଓ ଚାଷକୁ ବଂଚାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହଯୋଗ ନିତ୍ୟାନ୍ତ ଜରୁରୀ ।