ଚାଷୀ ଆଖିରେ ଲୁହ ଆଣିଲା ଅଦିନିଆ ବର୍ଷା, ଧୋଇଦେଲା ସବୁ ସ୍ୱପ୍ନ: ବର୍ଷା ପାଇଁ ବିଲରେ ବୁଡିଛି ଫସଲ, ମଣ୍ଡିରେ ଗଜା ହେଉଛି ଧାନ

321

କନକ ବ୍ୟୁରୋ: ଅଦିନିଆ ବର୍ଷାରେ ଭିଜିଯାଇଛି ଚାଷୀର ସ୍ୱପ୍ନ । କେଉଁଠି ଫସଲ ବିଲ ଭିତରେ ଉଜୁଡି ଯାଉଛି ତ’ ଆଉ କେଉଁଠି ମଣ୍ଡିରେ ଗଜା ହେଉଛି ଧାନ । ଦୁଇ ଦିନ ଧରି ଲାଗି ରହିଥିବା ଝିପିଝିପ ବର୍ଷା ଚାଷୀଙ୍କ ପାଇଁ ଏକ ନୂଆ ସମସ୍ୟା ସୃଷ୍ଟି କରିଛି । ଗୋଟିଏ ପଟେ ଜାଡ ଆଉ ଅନ୍ୟପଟେ ବର୍ଷା ମାଡ ମଣ୍ଡିରେ ଜଗୁଥିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ।

ବର୍ଷାରେ ଭିଜି ଯାଇଥିବା ଧାନକୁ ବିକ୍ରି କରିବ ନା’ ପୁଣି ଥରେ ଚାଷ ପାଇଁ ପ୍ରସ୍ତୁତ ହେବ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି ଚାଷୀ । କାରଣ ବିକ୍ରି ପାଇଁ ଆସିଥିବା ଧାନ, ମଣ୍ଡିରେ ହିଁ ଗଜା ହୋଇଯାଇଛି । ଜରିପାଲ ଘୋଡ଼ାଇ ବର୍ଷା କବଳରୁ ଯେତିକି ଧାନ ରକ୍ଷା କରାଯାଇଛି ତାର ବି ସମାନ ।
ସୁବର୍ଣ୍ଣପୁର ଜିଲ୍ଲାରେ ବର୍ତ୍ତମାନ ୧୭ ଲକ୍ଷ କ୍ୱିଂଟାଲ ଧାନ କିଣା ଯାଇଥିବା ବେଳେ ଆହୁରି ୧୩ ଲକ୍ଷ ୮୨ ହଜାର କ୍ୱିଂଟାଲ ଧାନ ବିକ୍ରି ଅପେକ୍ଷାରେ ବିଭିନ୍ନ ମଣ୍ଡିରେ ପଡ଼ି ରହିଛି । ଆଉ ଏହାରି ଭିତରେ ଦାଉ ସାଧିଛି ଅଦିନିଆ ବର୍ଷା ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ଯେଉଁଭଳି ସ୍ଥିତି କଳାହାଣ୍ଡିରେ ଉଣାଅଧିକେ ସମାନ ସ୍ଥିତି । ମଣ୍ଡିରେ ହିଁ ଭିଜୁଛି ଚାଷୀର ପରିଶ୍ରମ । ପଲିଥିନ ଢାଙ୍କିବା ଫଳରେ ଯାହା ବଂଚିଲା ବଂଚିଲା, ନହେଲେ ବାକି ତକ ଧାନ ଭଗବାନଙ୍କ ଭରସାରେ । ଧର୍ମଗଡ଼ ବ୍ଲକର ବଡ଼ ବସୁଲ, ଖଇର ପଦର, ବୋଡେନ୍, ତମ୍ବଛଡ଼ା, ତାରାପୁର ଆଦି ମଣ୍ଡିରେ ଏବେ ଖୋଲା ଆକାଶ ତଳେ ପଡ଼ିଛି ହଜାର ହଜାର କ୍ୱିଂଟାଲ ଧାନ ।

ଖାଲି ମଣ୍ଡିରେ ନୁହେଁ ପାଣିରେ ଭାସୁଛି ପାଚିଲା ଧାନ । ଧାନକାଟି ବିଲରେ ପାହି ପାହି କରି ପକାଇଛି ଚାଷୀ । ଆଉ ଏତିକି ବେଳେ ଅଦିନିଆ ବର୍ଷା ଦାଉ ସାଜିଛି । ଶୀତ ଦିନିଆ ବର୍ଷା ଚାଷୀର ବର୍ଷକର ଆହାର ଛଡ଼େଇ ନେବା ପାଇଁ ବସିଛି । କେନ୍ଦ୍ରାପଡ଼ା ପାଟପୁରା, ଭଦ୍ରକ, ଚାନ୍ଦବାଲି ଏବଂ ଜଗତସିଂହପୁର ଜିଲ୍ଲାରେ ପାଣି ଭିତରେ ପଡ଼ି ରହିଛି ଚାଷୀର ଧାନ । ତେବେ ଟୋକନ ସମସ୍ୟାରୁ ଚାଷୀ ବାହାରିନଥିବା ବେଳେ ଏବେ ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେବାକୁ ବସିଛି । ଏଭଳି ସ୍ଥିତିରେ କ’ଣ କରିବ ଚାଷୀ ଭାବିଲା ବେଳକୁ ମୁଣ୍ଡରେ ଚଡ଼କ ପଡ଼ିଯାଉଛି ।