କନକ ବ୍ୟୁରୋ: କିଛିଦିନ ତଳେ ଫସଲ ବୀମାକୁ ନେଇ ଆରମ୍ଭ ହୋଇଥିଲା ପ୍ରତିବାଦ । ଯେତେବେଳେ ଚାଷୀଙ୍କୁ ଫସଲ ବୀମା ମିଳୁନଥିବା ଅଭିଯୋଗରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଶାସକ ବିଜେଡି । ଦଳର ଅଭିଯୋଗ ଥିଲା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ରାଶିରୁ ବଞ୍ଚିତ କରି ବୀମା କମ୍ପାନୀଗୁଡ଼ିକ ସମୟ ଗଡାଇ ଚାଲିଛନ୍ତି । ଏହା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାବେଳେ ରାଜ୍ୟର ଗରିବ ଚାଷୀମାନେ ୫ ଶହ କାଟି ଟଙ୍କାର ବକେୟା ବୀମା ରାଶି ନପାଇ ଦୁର୍ଦ୍ଦଶା ଭୋଗୁଛନ୍ତି । କେବଳ ସେତିକି ନୁହେଁ, କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ରାଜ୍ୟର ଚାଷୀଙ୍କୁ ତୁରନ୍ତ ବୀମାରାଶି ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।
ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ଫସଲ ବୀମା ନମିଳିବା ପ୍ରସଙ୍ଗରେ ପାଲଟା ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ୬ଟି ସରକାରୀ କମ୍ପାନି ରହିଛି । ତଥାପି ରାଜ୍ୟ ସରକାର କାହିଁକି ଏଚଡିଏଫସି ଭଲି ଘରୋଇ କମ୍ପାନିକୁ ବାଛିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାରି ଭିତରେ ବୀମା ରାଶି ପ୍ରଦାନ ପାଇଁ ଗତ ୩ ତାରିଖରୁ ଚିଠି କରିସାରିଛନ୍ତି କେନ୍ଦ୍ର ସରକାର । ୧୧ ଦିନ ପରେ ବି ଚାଷୀଙ୍କୁ କାହିଁକି ଟଙ୍କା ପ୍ରଦାନ କରାଗଲା ନାହିଁ ବୋଲି ପଦ୍ମପୁର ସଭାରୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
କୁହାଯାଉଛି ପଦ୍ମପୁର ଉପଖଣ୍ଡରେ ପାଖାପାଖି ୮୦ ହଜାର ଚାଷୀ ରହିଛନ୍ତି । ଉପନିର୍ବାଚନ ବିଜୟରେ ଏମାନଙ୍କ ଭୋଟ୍ ନିର୍ଣ୍ଣାୟକ ହୋଇପାରେ । ତେଣୁ ସବୁଦଳର ଫୋକସ ଏବେ ଚାଷୀଙ୍କ ସମସ୍ୟା ଉପରେ କେନ୍ଦ୍ରୀଭୂତ ହୋଇଛି । ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ଶାସକ ବିଜେଡି ଦାୟୀ କରୁଥିବାବେଳେ, ବୀମା ରାଶି ପ୍ରଦାନରେ ରାଜ୍ୟର ତ୍ରୁଟିପୂର୍ଣ୍ଣ ନୀତିକୁ ଦାୟୀ କରୁଛି ବିଜେପି । କଂଗ୍ରେସ କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରିଛି ।
ଚାଷ ହୁଡିଲେ ବରଷେ, ଆଉ ଚାଷୀ ହୁଡିଲେ ୨ ବର୍ଷ । ପଦ୍ମପୁର ଉପନିର୍ବାଚନରେ ଯିଏ ଜିତିବ ଆଗାମୀ ସାଧାରଣ ନିର୍ବାଚନ ଯାଏଁ କ୍ଷମତାରେ ରହିବ । ତଥାପି ପରାଜୟର ବୋଝ ମୁଣ୍ଡାଇବା ମହଙ୍ଗା ପଡିବ । ତେଣୁ ଚାଷୀଙ୍କୁ ମନାଇବା ପାଇଁ ଫସଲ ବୀମାକୁ ପ୍ରସଙ୍ଗ କରି ପ୍ରଚାର ମୈଦାନକୁ ଓହ୍ଲାଇବାକୁ ରଣନୀତି କରୁଛନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/insurance.jpg)