ବନ୍ୟାରେ ଭାସିଗଲା ଚାଷୀଙ୍କ ସ୍ୱପ୍ନ । ପାଣିରେ ପଡି ପଡି ସଢି ଗଲାଣି ଧାନ ଗଛ ।

94

କନକ ବ୍ୟୁରୋ : ବନ୍ୟା ଉଜାଡିଦେଲା ଧାନ ଫସଲ । ବର୍ଷଯାକ ପରିବାର ପ୍ରତିପୋଷଣ ଏବଂ ଋଣ ପରିଶୋଧ ଚିନ୍ତାରେ ଚାଷୀକୂଳ । ଲଘୁଚାପ ଜନିତ ଲଗାଣ ବର୍ଷା ସହିତ ଜଳକା ନଦୀର ବନ୍ୟା ଆସି ନଷ୍ଟ ହୋଇଗଲା ଧାନ ଫସଲ । ଆଖି ଆଗରେ ସୁନାର ଫସଲ ଉଜୁଡି ଯିବା ପରେ ଭାଙ୍ଗି ପଡିଛନ୍ତି ଚାଷୀ ।

ଧାନ ବିଲକୁ ଦେଖି ଚାଷୀଙ୍କ ଧୈର୍ଯ୍ୟ ରହୁନି । ବାଲେଶ୍ୱର ବସ୍ତା ଅଂଚଳର ଉଜୁଡା କ୍ଷେତ ଚାଷୀଙ୍କ ଦୁଃଖ ବଢାଇଦେଇଛି । କାରଣ କ୍ଷେତରୁ ଆଉ ଫସଲ ଅମଳ ହୋଇପାରିବ ନାହିଁ । ବନ୍ୟା ଯୋଗୁଁ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଆଉ ବସ୍ତା ବାସୀଙ୍କ ଏଇ ଦୁଃଖର କାରଣ ପାଲଟିଛି ଜଲକା ନଦୀ । ପ୍ରତିବର୍ଷ ଜଳକା ନଦୀରେ ବନ୍ୟା ଆସି ଧାନ ଫସଲ ଉଜାଡି ଦେଉଛି ।

ବସ୍ତା ବ୍ଲକର ବାସି ଚକୁରାଇ ଗ୍ରାମର ଚାଷ ଜମିରେ ଜଳକା ନଦୀର ବନ୍ୟା ଆସି ସମସ୍ତ ଧାନ ଫସଲ ନଷ୍ଟ କରିଦେଇଛି । ପାଣିରେ ରହି ରହି ଧାନ ଗଛ ସବୁ ପଚି ସଢି ନଷ୍ଟ ହୋଇଯାଇଛି । ଯେଉଁଥିରୁ ଆଉ ଧାନ ଫଳିବା ଅସମ୍ଭବ । ଉଜୁଡା କ୍ଷେତକୁ ଦେଖି ବର୍ଷଯାକ ପରିବାର କଣ ଖାଇବେ, କେମିତି ଚଳିବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷୀ ।

ବାସି ଚକୁରାଇ ଗାଁର ଅଧିକାଂଶ ପରିବାର ଗରିବ ସୀମାରେଖା ତଳେ । ଏଠାରେ ରୋଜଗାରର ଅନ୍ୟ କୌଣସି ମାଧ୍ୟମ ନଥିବାରୁ ଲୋକେ ଧାନ ଚାଷ ଉପରେ ନିର୍ଭରଶୀଳ । ହେଲେ ଗାଁକୁ ଉଭୟପଟୁ ଜଳକା ଏବଂ ପେଜଗଳା ନଦୀ ଘେରି ରହିଥିବାରୁ ପ୍ରତିବର୍ଷ ବନ୍ୟା ଆସି ଚାଷ ନଷ୍ଟ କରୁଛି । ଆଉ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଛି ।