ଚାଷୀର ଭାତହାଣ୍ଡିକୁ ଉଜାଡିଦେଲା ଜୱାଦ । ହେକ୍ଟର ହେକ୍ଟର ଜମିରେ ପାଣି ଭିତରେ ପଡି ରହିଛି ପାଚିଲା ଧାନ ।

76

କନକ ବ୍ୟୁରୋ : ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇଥିବା ବାତ୍ୟା ଜୱାଦ ପ୍ରଭାବରେ ହୋଇଥିବା ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି । ଧାନ ଅମଳ ବେଳକୁ ଅଦିନିଆ ବର୍ଷା ଯୋଗୁଁ ସବୁ ଉଜାଡ଼ି ଦେଇଛି । ବର୍ଷାରେ ହଜାର ହଜାର ହେକ୍ଟର ଜମିର ଧାନ ଫସଲ ନଷ୍ଟ ହୋଇଯାଇଛି । ଲୋକ ପାଣି ସୁଅରୁ ଧାନକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ତାହା ସମ୍ଭବ ହେଉନାହିଁ । ପାଣିରେ ଧାନ ଗଛ ସମ୍ପୂର୍ଣ୍ଣ ବୁଡି ରହିଛି । ଜୱାଦ ପ୍ରଭାବରେ ସୋର ଓ ବସ୍ତା ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହେବାର ଚିତ୍ର ସାମ୍ନାକୁ ଆସିଛି ।

ବାତ୍ୟା ଟଳିଗଲା.. ହେଲେ ଲଘୁଚାପ ଜନିତ ବର୍ଷା ଚାଷୀଙ୍କୁ ଦୁଃଖ ଦେଇଗଲା । ଲଗାଣ ବର୍ଷା ଯୋଗୁଁ କେଉଁଠି ଧାନ କିଆରିରେ ପାଣି ଜମି ରହିଛି ତ ପୁଣି କେଉଁଠି କଟା ହୋଇଥିବା ଧାନ ପାଣିରେ ଭାସୁଛି । ସ୍ଥିତି ଏପରି ହୋଇଛି, ଧାନ ଅମଳ କରିବା ସମ୍ଭବ ନୁହେଁ । କାରଣ ପାଣି ଛାଡ଼ିବା ବେଳକୁ ଧାନ ଗଛ ପଚିସଢି ନଷ୍ଟ ହେବା ସହ ଧାନରୁ ଗଜା ବାହାରିଯାଇଥିବ । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀକୂଳ । ବାଲେଶ୍ୱର ବସ୍ତା ଅଞ୍ଚଳରୁ ଆସିଛି ଧାନ ବିଲର ବିକଳ ଚିତ୍ର ।

ସେହିପରି ସମାନ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର, ସିମୁଳି, ବାହାନଗା ଅଞ୍ଚଳରେ । ଚାଷୀଙ୍କ ଉପରେ ଦାଉ ସାଧିଛି ବର୍ଷା । ପାଚିଲା ଧାନ ଜମିରେ ପାଣି ଜମି ରହିଛି । ପାଣି ନିସ୍କାସନ କରିବା ସହ ହିଡ଼ ଉପରେ ଧାନ କାଟି ସାଇତି ରଖୁଛି ଚାଷୀ । ପୂର୍ବରୁ ଚକଡ଼ା ପୋକ ଧାନ ନଷ୍ଟ କରିଥିବା ବେଳେ ଏବେ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଯେଉଁ ଫସଲ ଦେଖି ଦିନେ ଚାଷୀ ଖୁସି ହେଉଥିଲା । ଆଜି ସେହି ଫସଲକୁ ଉଜାଡ଼ି ଦେଇଛି ଅଦିନିଆ ବର୍ଷା । ଲଗାଣ ବର୍ଷାରେ ଚାଷୀର ବର୍ଷକର ପରିଶ୍ରମ ବୃଥାରେ ଚାଲିଯାଇଛି । ଏବେ ପରିବାର ପ୍ରତିପୋଷଣକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ ।