ଦୁଃଖ ଦେଇଗଲା ‘ବୁଲବୁଲ୍’: ବର୍ଷାରେ ଜଗତସିଂହପୁର,କେନ୍ଦ୍ରାପଡ଼ା, ଯାଜପୁର ଓ କେନ୍ଦୁଝରର ଅନେକ ଅଂଚଳରେ ଉଜୁଡିଲା ଫସଲ, ବିଲରେ ଶୋଇଛି ଧାନଗଛ

ବ୍ୟାପକ ଫସଲନଷ୍ଟ; ଜଣକର ମୃତ୍ୟୁ ଅଭିଯୋଗ

538

କନକ ବ୍ୟୁରୋ: ସାମୁଦ୍ରିକ ବାତ୍ୟା ବୁଲବୁଲ୍ ଉଜାଡି ଦେଇଗଲା ଚାଷୀଙ୍କ ସୁନାର ଫସଲ । ଲଗାଣ ବର୍ଷା ଯୋଗୁଁ ଜଗତସିଂପୁର ଜିଲ୍ଲାରେ ନଷ୍ଟ ହୋଇଛି ଶହ ଶହ ହେକ୍ଟରର ଧାନ ଫସଲ ।ଧାନକେଣ୍ଡା ଧରିଥିବା ବେଳେ ବର୍ଷା ପବନ ଯୋଗୁଁ ବିଲରେ ଶୋଇଛି ଧାନ ଗଛ । ସେହିପରି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକରେ ବ୍ୟାପକ ଧାନଫସଲ ନଷ୍ଟ ହୋଇଛି । ଲଗାଣ ବର୍ଷା ଓ ପବନରେ ଧାନ ଗଛ ସବୁ ନଷ୍ଟ ହୋଇଛି । ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ । ସେହିପରି କେନ୍ଦୁଝର ହାଟଡ଼ିହି ବ୍ଲକର ପ୍ରାୟ ୩୧ଟି ପଂଚାୟତରେ ଧାନ ଫସଲ ନଷ୍ଟ ହୋଇଛି । ଏହି ସମୟରେ ବିଶେଷ କରି ଧାନ ଫୁଲ ଦେଇଥାଏ ।

ପବନ ବର୍ଷାର ମାଡ ଖାଇବା ପରେ ଏଥର ଧାନ ଫସଲ ମାଡ ଖାଇଯିବ ବୋଲି ଚାଷୀ ଆଶଙ୍କା କରୁଛନ୍ତି । ସେପଟେ ଯାଜପୁରରେ ଧାନ ସହିତ ବିଭିନ୍ନ ପନିପରିବା ଚାଷ ବୁଲବୁଲ୍ ପ୍ରଭାବିତ ହୋଇଛି । ଧାନ କିଆରିରେ ଏବେ ୩ ରୁ୪ ପୁଂଟ୍ ଉଚ୍ଚତାରେ ପାଣି ଜମିଥିବାରୁ ଧାନ ଗଛ ଅନେକ ଅଂଚଳରେ ବୁଡି ଯାଇଛି । ଏମିତିରେ ଫସଲ ନଷ୍ଟ ହେଲେ ଧାର କରଜ କରି ଚାଷୀ କରିଥିବା ଚାଷୀ କେମିତି ଋଣ ସୁଝିବ ତାକୁ ନେଇ ଚିନ୍ତାରେ ପଡିଛି ଚାଷୀ ।

ସେପଟେ ବାତ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଳକରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗଜରାଜପୁର ଗାଁରେ ଗଣେଶ୍ୱର ମଳିକ ନାମକ ୭୨ ବର୍ଷର ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଘରେ ସେ ଶୋଇଥିବା ବେଳେ ପବନରେ ଉଡି ଆସି ଏକ ଆଜବେଟସ୍ ଖଣ୍ଡ ତାଙ୍କ ଉପରେ ପଡ଼ିଥିଲା ବୋଲି କହିଛନ୍ତି ଗ୍ରାମବାସୀ । ଗଣେଶ୍ୱରଙ୍କ ଛାତି ଉପରେ ଆଜବେଟସ୍ ମାଡ଼ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।