ଚାଷୀଙ୍କୁ କାଳ କାଳବୈଶାଖୀ ! ଅଦିନିଆ ବର୍ଷାରେ ସାରା ରାଜ୍ୟରେ ଉଜୁଡି ଯାଇଛି ଫସଲ, କେଉଁଠି ଜମିରେ ଗଡୁଛି ଫଟା ତରଭୁଜ ତ ପୁଣି କେଉଁଠି ନଷ୍ଟ ହୋଇଛି ଧାନ

74

କନକ ବ୍ୟୁରୋ: ଘୁର୍ଣ୍ଣିଝଡ ଓ ଅଦିନିଆ ବର୍ଷା ଫଳରେ ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଛି । କାଳବୈଶାଖିରେ ନଷ୍ଟ ହୋଇଛି ତରଭୁଜ ଫସଲ । ଦେବଗଡ ଜିଲ୍ଲାର ୭୦ ଏକର ଜମିରେ ଅମଳକ୍ଷମ ତାରଭୁଜ ଗଛରେ ହିଁ ନଷ୍ଟ ହୋଇଯାଇଛି । କୁଆପଥର ମାଡରେ ତରଭୁଜ ଫାଟି ଯାଇଥିବା ବେଳେ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଚାଷୀର ଆଶାକୁ ଧୂଳିସାତ କରିଦେଇଛି ଅଦିନିଆ ବର୍ଷା । ତରଭୁଜ ଚାଷୀଙ୍କ ପାଇଁ କାଳ ହୋଇଛି କାଳବୈଶାଖୀ ବର୍ଷା । ବୌଦ୍ଧ ଜିଲ୍ଲା ରିଆମାଳ ବ୍ଲକ କାଦୋପଡା ଗାଁର ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ । ଅଦିନିଆ ଝଡବର୍ଷା ସାଙ୍ଗକୁ କୁଆପଥର ମାଡରେ ଭାଙ୍ଗି ଯାଇଛି ଚାଷୀର ମେରୁଦଣ୍ଡ । ଜମିରେ ଫାଟି ଗଡୁଛି ଅମଳକ୍ଷମ ତରଭୁଜ । ଯାହାକୁ ନେଇ ଚିନ୍ତାରେ ପଡିଯାଇଛି ଚାଷୀ ।

ଉପଯୁକ୍ତ ଜଳ ସେଚନ ଓ ଅନୁକୁଳ ପାଣିପାଗ ଯୋଗୁଁ ଦେବଗଡରେ ତରଭୁଜ ଚାଷ କରିଥିଲେ ଚାଷୀ । ଏଥିପାଇଁ ସରକାର ବିହନ ଓ ଅଣୁସାର ଯୋଗାଇ ଦେଇଥିଲେ । ବାକି ଅନ୍ୟାନ୍ୟ ସାର, କୀଟନାଶକ ଓ ଶ୍ରମ ଖର୍ଚ୍ଚ କରି ଚାଷ କରିଥିଲେ ଚାଷୀ । ହେଲେ ଅମଳ ସମୟରେ କାଳବୈଶାଖୀ ଯୋଗୁଁ ତରଭୁଜ ଫାଟି ଯାଉଥିବା ବେଳେ ଗଛ ସବୁ ସଢିଯାଉଛି । ଫସଲ ଉଜୁଡି ଯିବା ପରେ ଚାଷୀ ସହାୟତାକୁ ଅପେକ୍ଷା କରିଥିବା ବେଳେ ଚଳିତବର୍ଷ କୌଣସି କ୍ଷତିପୂରଣ ପ୍ରଦାନ କରାଯାଇପାରିବ ନାହିଁ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।

ଅନ୍ୟପଟେ ବରଗଡ ଜିଲ୍ଲାରେ ବି ସମାନ ପରିସ୍ଥିତି । ଜମିରେ ଲହଡି ଭାଙ୍ଗୁଛି ବିସ୍ତିର୍ଣ୍ଣ ସବୁଜ ଧାନ । ଅଂଟାଏ ଉଚ୍ଚର ଧାନ ଫସଲକୁ ଦେଖି ଚାଷୀର ମନ ଖୁସି ହେବା ବଦଳରେ ମଉଳି ଯାଉଛି । କାରଣ ଧାନକୁ ଲହଡି ଖେଳାଉଥିବା ପବନ ବରଗଡ ଜିଲ୍ଲା ଚାଷୀର ଅଂଟାକୁ ଭାଙ୍ଗି ଦେଇଛି । ଅତାବିରା ବ୍ଲକ ପରମାଣପୁର ଗାଁରେ କାଳବୈଶାଖୀ ପ୍ରଭାବରେ ଧାନ ଫସଲ ନଷ୍ଟ ହୋଇଯାଇଛି ।

ଝଡିବର୍ଷା ଓ ପବନ ଯୋଗୁଁ ଧାନ କେଣ୍ଡା ସବୁ କଳା ପଡିବା ସହ ଅଗାଡି ହୋଇଯାଇଛି । ଯାହାକୁ ନେଇ ଚିନ୍ତାରେ ପଡିଥିବା ଚାଷୀ, ସମସ୍ୟା ବାବଦରେ ଜିଲ୍ଲା କୃଷି ଅଧିକାରୀଙ୍କୁ ଅବଗତ କରିଇଛନ୍ତି । ଜିଲ୍ଲା କୃଷି ଅଧିକାରୀଙ୍କ ନିର୍ଦେଶକ୍ରମେ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ଏକ ଟିମ୍ ପ୍ରଭାବିତ ଚାଷ ଜମି ବୁଲି ଦେଖିଛନ୍ତି । ତେବେ କବଳ ପରମାଣପୁର ନୁହେଁ ଏଭଳି ଅନେକ ଅଂଚଳରେ ଧାନ ଫସଲ ନଷ୍ଟ କରିଦେଇଛି କାଳବୈଶାଖୀ ବର୍ଷା ।