କନକ ବ୍ୟୁରୋ: କରୋନା କଟକଣା ଯୋଗୁଁ ପରିବା ବେପାର ମାନ୍ଦା ହୋଇଛି । ଦୁଇ ପଇସା ରୋଜଗାର ଆଶାରେ ଚାଷୀଟିଏ ପନିପରିବା ଚାଷ କରିଥାଏ । ପରିବା ବିକ୍ରି କରି ବର୍ଷ ତମାମ ଘର ଖର୍ଚ ତୁଲାଇଥାନ୍ତି । ହେଲେ ଚଳିତ ବର୍ଷ ସେ ଆଶା ମଉଳି ଯାଇଛି । କରୋନା ଠାରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ଲକ ଡାଉନ ଘୋଷଣା କରିଛନ୍ତି । ତେଣୁ ନବରଙ୍ଗପୁରର ଜିଲ୍ଲାରେ ଶହଶହ ଏକ ଜମିରେ ପରିବା ଚାଷ ନଷ୍ଟ ହେବାକୁ ବସିଛି । ତେନ୍ତୁଳିଖୁଂଟି ବ୍ଲକ ଅନ୍ତର୍ଗତ କଙ୍ଗ୍ରା ଗାଁର ଚାଷୀ କରୁଥିବା ପନି ପରିବା ପଡୋଶୀ ଜିଲ୍ଲା ଛତିଶଗଡ ଓ ଆନ୍ଧ୍ର ପ୍ରଦେଶକୁ ବିକ୍ରୀ ପାଇଁ ଯାଇଥାଏ । ହେଲେ ଏବେ ସେସବୁ ହୋଇ ପାରନୁଥିବାରୁ ଚାଷୀକୂଳ ଚିନ୍ତାରେ ପଡିଛନ୍ତି ।
ଲକ-ଡାଉନର ପ୍ରଭାବ ପଡିଛି ବାଲେଶ୍ୱର ଜିଲ୍ଲାର ପାନଚାଷୀଙ୍କ ଉପରେ । ଦୋକାନ ବଜାର ଏବଂ ଗାଡି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଥିବାରୁ ପାନଚାଷୀ ଉତ୍ପାଦିତ ପାନକୁ ବଜାରରେ ବିକ୍ରି କରିପାରୁନାହାନ୍ତି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ପାନ ପଚି ନଷ୍ଟ ହେଉଛି । ଗାତ ଖୋଳି ପାନ ପୋତିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଋଣ କରି ପାନଚାଷ କରିଥିବା ଚାଷୀଙ୍କ ଦାବି ହେଲା ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ । ଜିଲ୍ଲାର ବାଲିଆପାଳ ବ୍ଲକରରେ ପଂଚୁପାଲି, ନୂଆ ଗାଁ, ଜମ୍ଭିରାଇ, ପ୍ରତାପପୁର, ଡାଗରା ପ୍ରଭୃତି ପଂଚାୟତରେ ଲୋକେ ପାନ ଚାଷ କରି ଗୁଜୁରାଣ ମେଂଟାଇଥାନ୍ତି । ତାଲାବନ୍ଦ ଚାଲିଥିବା ବେଳେ ଏହି ପାନଚାଷୀଙ୍କ ଦୁର୍ଦ୍ଦଶା ବଢିଯାଇଛି ।