ଅମଳ ସମୟରେ ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ଗଂଜାମ ଜିଲ୍ଲାର ଶହ ଶହ ଏକର ପାଚିଲା ଧାନ କ୍ଷେତରେ ପଶିଗଲା ପାଣି

73

କନକ ବ୍ୟୁରୋ: ଅଦିନିଆ ଲଗାଣ ବର୍ଷା ଯୋଗୁଁ ଜମିରେ ପଡି ଗଜା ହେଲାଣି ପାଚିଲା ଧାନ । ଗଂଜାମ ଜିଲ୍ଲା ଓ ରାୟଗଡାର ଅନେକ ଚାଷ ଜମିରେ ଧାନ କାଟି ଜମିରେ ପକାଇ ରଖିଥିଲେ ଚାଷୀ । ଆଉ ଏତିକି ବେଳେ ବର୍ଷା ହେବାରୁ ଜମିରେ ପାଣି ଜମି ରହିଛି । ଧାନ ଗୁଡିକ ପାଣିରେ ପଡି ପଡି ଗଜା ହେଇ ନଷ୍ଟ ହେବାକୁ ବସିଛି ।

ଲଗାଣ ବର୍ଷାରେ ଗଜା ହୋଇ ଯାଉଛି ଧାନ । ଧୋଇ ଯିବ କି ଚାଷୀଙ୍କ ବର୍ଷକର ଆହାର । ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ପାଇଁ ଦୁଃଖ ଆଣିଛି । ଦୁଇ ଦିନ ଧରି ବର୍ଷା ଲାଗି ରହିବାରୁ ଚାଷ ଜମିରେ ପାଣି ଜମି ରହିଛି । ବିଲରୁ ପାଣି ଛାଡି ନଥିବାରୁ କଟା ଧାନ ଖଳାକୁ ଆଣି ପାରୁନାହାନ୍ତି ଗଂଜାମ ଜିଲ୍ଲା ବିଭିନ୍ନ ଅଂଚଳର ଚାଷୀ । ଓଦା ଧାନକୁ ଜମି ହିଡରେ ରଖି ସୁଖାଇବା ପାଇଁ ଚେଷ୍ଟା ଚଳାଇଛନ୍ତି, କିଛି ଚାଷୀ ମଟର ଲଗାଇ ପାଣି ବାହାର କରୁଛନ୍ତି । ତଥାପି ଅମଳ ଆଶା ମଉଳି ଯାଇଛି ।

ପୋଲସରା ସମେତ ବୁଗୁଡା, ପୁରୁଷାତମପୁର, କବିସୂର୍ଯ୍ୟନଗର, ଖଲ୍ଲିକୋଟ ବ୍ଲକର ଚାଷ ଜମିରୁ ବର୍ତମାନ ସୁଧା ଜଳସ୍ତର କମିନାହଁ । ଖଲ୍ଲିକୋଟ ବ୍ଲକର କୋମଣ୍ଡ, ଦାନପୁର,ଭେଜିପୁଟ, ବିଏନପୁର, ସମେତ ବିଭିନ୍ନ ପଂଚାୟତରେ ଧାନ ଚାଷ ସଂପୂର୍ଣ୍ଣ ହେବାକୁ ଯାଉଛି । ବିଲରେ ପଡି ଯାଇଥିବା ଧାନକୁ ଛିଡା କରି ଭେଳା ବାନ୍ଧିବାକୁ ଚେଷ୍ଟା କରୁଛନ୍ତି ଚାଷି ।

ଗଂଜାମ ଜିଲ୍ଲା ଭଳି ରାୟଗଡା ଜିଲ୍ଲାର ଚାଷୀ ମଧ୍ୟ ଅଦିନିଆ ବର୍ଷାର ଦୁଃଖ ଭୋଗୁଛନ୍ତି । ବ୍ୟାଙ୍କ ଓ ସାହୁକାର ଠାରୁ କରଜ ଆଣି ଚାଷୀ ପ୍ରାୟ ୪୭ ହଜାର ହେକ୍ଟର ଜମିରେ ଧାନ ଚାଷ କରିଛନ୍ତି । ଧାନ ମଧ୍ୟ ଭଲ ଫଳିଛି, ହେଲେ ଅମଳର ଦିନ କେଇଟା ଆଗରୁ ଏ ଅଦିନିଆ ବର୍ଷା ଚାଷୀଙ୍କ ମୁହଁର ହସକୁ ଛଡେଇ ନେଇଛି । ଧାନ ବିଲରେ ବର୍ଷା ପାଣିରେ ଭିଜି ନଷ୍ଟ ହେଉଥିବା ବେଳେ ଚାଷୀ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଏଣେ ଆସନ୍ତା ୧୮ ତାରିଖରୁ ପୁଣି ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଭଳି ସ୍ଥିତିରେ ଚାଷୀ କେମିତି ବର୍ଷକର ଆହାର ଯୋଗାଡ କରିବେ, ସରକାର ସେଥିପ୍ରତି ଦୃଷ୍ଟି ଦେଇ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।