ବାତ୍ୟା ଆସିଲାନି କିନ୍ତୁ ବର୍ଷା ନଷ୍ଟ କରିଦେଲା ଫସଲ: ଏକର ଏକର ଜମିରେ ପାଣିରେ ବୁଡି ରହିଛି ଧାନ

85

କନକ ବ୍ୟୁରୋ: ବର୍ଷା ପରେ ଚାଷୀଙ୍କ ଦୁର୍ଦଶା । ଜୱାଦ ସମୁଦ୍ର ଭିତରେ ଦୁର୍ବଳ ହୋଇ ଚାଲିଗଲା । ହେଲେ ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷା ଚାଷୀଙ୍କ ପାଇଁ ବଡ ଦୁଃଖ ପାଲଟିଗଲା । ଧାନ, ପନିପରିବା ଓ ଛତୁଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଗଲା । ବର୍ଷା ପରେ ପୋଟଳ ବିଲକୁ ଦେଖି ଚିନ୍ତାରେ ପଡିଯାଇଛନ୍ତି ପୁରୀ ଜିଲ୍ଲା ପିପିଲି ବ୍ଲକ କୂଳଶିଖର-ପାଟଣା ଅଂଚଳର ଚାଷୀ ଭାସ୍କର ରାଉତ । ତାଙ୍କର ପ୍ରାୟ ୩ ଲକ୍ଷ ଟଙ୍କା କ୍ଷତି ହୋଇଥିବା ସେ କହିଛନ୍ତି ।

ଅଦିନିଆ ବର୍ଷା ଚାଷୀଙ୍କ ପିରଶ୍ରମକୁ ଧୋଇ ନେଇଛି । ସେହିଭଳି କୂଳଶିଖର-ପାଟଣା ଅଂଚଳର ଚାଷୀ ଶରତ ବେହେରା, ଛତୁ ଚ।।ରୁ ଦୁଇ ପଇସା ରୋଜଗାର କରିବା ଆଶାରେ ୨ ହଜାର ଝିଙ୍ଗିରି ଛତୁ ବେଡ ପକାଇଥିଲେ । ହେଲେ ଲଗାଣ ବର୍ଷା ଯୋଗୁଁ ଛତୁବେଡରେ ପାଣି ପଡି ପୋକ ହୋଇଯାଇଛି । ଫଳରେ ସଂପୂର୍ଣ୍ଣ ଛତୁ ଚାଷ ନଷ୍ଟ ହେବାକୁ ବସିଛି ।

ପିପିଲି ବ୍ଲକର ଅଧିକାଂଶ ଚାଷୀ ଧାନ ଓ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ବର୍ଷା ଯୋଗୁଁ ସବୁ ଫସଲ ଉଜୁଡି ଯାଇଥିବା ବେଳେ ସ୍ଥାନୀୟ କୃଷି ଅଧିକାରୀ ଏଯାଏଁ କ୍ଷୟକ୍ଷତି ଆକଳନ କରିନଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି ।