ବର୍ଷା କମିଛି ହେଲେ ଦୁର୍ଦ୍ଦଶା କମିନି । ଗାଁ ଗଣ୍ଡା ସବୁଠି ଖାଲି ପାଣି ଆଉ ପାଣି । କେନ୍ଦ୍ରାପଡା, ଯାଜପୁର, ସୁନ୍ଦରଗଡରେ ବିତୁଛି ଜଳବନ୍ଦୀ ଜୀବନ

42

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଯୋଡାରୁ ରୋଇଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରୋଇଡା କେତୁହଟିଂ ଠାରେ ସୁନା ନଦୀ ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଯୋଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ପାଣି ଯୋଗୁ ବିଚାକୁଣ୍ଡି ଓ ଦଲପାହଡ ଗାଁର ଛାତ୍ରଛାତ୍ରୀ ସ୍କୁଲ ଯାଇ ପାରୁନାହାନ୍ତି ।

ରାଜ୍ୟ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ଚାଷ କାର୍ଯ୍ୟ । ଯାଜପୁର ଜିଲ୍ଲାରେ ୪୮ ଘଂଟାରୁ ଅଧିକ ସମୟ ଧରି ଲଗାଣ ବର୍ଷା ହେବା ପଂଳରେ ବିଂଝାରପୁର ବ୍ଲକ ଅଂଚଳର ଧାନ ବିଲରେ ୫ ପୁଂଟ ଉଚ୍ଚର ପାଣି ଜମି ରହିଛି । ବର୍ଷା ଜଳ ନିସ୍କାସନ ହୋଇ ପାରୁନଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି । ମାଛ ଧରିବା ପାଇଁ କେତେକ ସ୍ଥାନରେ ଲୋକେ ଆଡି ବନ୍ଧ ନିର୍ମାଣ କରିବା ପଂଳରେ ଜଳ ନିସ୍କାସନ ଦିଗରେ ସମସ୍ୟା ସୃଷ୍ଟି ହେଉଛି । ପଂଳରେ ଧାନ ଚାଷ ସଂପୁର୍ଣ୍ଣ ନଷ୍ଟ ହେବାର ଆଶଙ୍କା ରହିଛି । ଯାହାକୁ ନେଇ ଆଜି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି ପ୍ରଭାବିତ ଚାଷୀ । ସେପଟେ ଜଳ ନିସ୍କାସନରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ନିର୍ଦ୍ଧେଶ ଦେଇଛନ୍ତି ।

ଲଗାଣ ବର୍ଷାରେ ବେହାଲ ଯାଜପୁର ଧର୍ମଶାଳା ବ୍ଲକର ଅବସ୍ଥା । ବର୍ଷା ଯୋଗୁଁ କେଲୁଅ ନଦୀରେ ବନ୍ୟା ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଜେନାପୁର ଠାରେ ବ୍ରାହ୍ମଣୀ ନଦୀ ବିପଦ ସଙ୍କେତ ଠାରୁ ୪ଫୁଟ ତଳେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୬୮ଫୁଟ ରହିଥିବା ବେଳେ ବନ୍ୟାଜଳ ୬୨ଫୁଟରେ ପ୍ରବାହିତ ହେଉଛି । ଧର୍ମଶାଳାରେ ବନ୍ୟା ଆଶାଙ୍କା ନଥିଲେ ସୁଦ୍ଧା ଲଘୁଚାପ ବର୍ଷା କିନ୍ତୁ ଲୋକଙ୍କ ଦୁଃଖ ବଢାଇ ଦେଇଛି । ଏହି ବ୍ଲକର କାଏମା, ପାଟପୁର, ପାଖର, କୋତପୁର, ଗଙ୍ଗାଧରପୁର ପଂଚାୟତରେ ବର୍ଷା ପାଣି ଧାନ ଓ ପରିବା ଜମିରେ ଜମିବା ଫଳରେ ଚାଷୀ ମୁଣ୍ଡରେ ଚଡକ ପଡିଛି । ହଜାର ହଜାର ଏକର ଧାନଜମି ପାଣିରେ ବୁଡି ରହିଛି । ଅନ୍ୟପଟରେ ଲଗାଣ ବର୍ଷା ଯୋଗୁଁ ତଳି ଅଂଚଳ କାଏମା ଗାଁର କେତେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛି ।

ଲଗାଣ ବର୍ଷାରେ ବେହାଲ ସୁନ୍ଦରଗଡ ସହର । ଲଗାଣ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇପଡିଛି । ସକାଳୁ ସୁନ୍ଦରଗଡର ସ୍କୁଲଗୁଡିକରେ ଛୁଟି ଘୋଷଣା କରାଯାଇଛି । କୁତ୍ରା ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପାଣି ଜମି ରହିଛି । ପାଣି ଘେରରେ ରହିଛି ସ୍କୁଲ ଓ ସରକାରୀ ଅଫିସ । କୁତ୍ରାର କେନ୍ଦ୍ରୀୟ ବିଦ୍ୟାଳୟରେ ପାଣି ପଶିଯିବା ଯୋଗୁଁ ସ୍କୁଲ କର୍ତୃପକ୍ଷ ଛୁଟି ଘୋଷଣା କରିଛନ୍ତି । ସେହିଭଳି କୁତ୍ରା ପଶୁ ଡାକ୍ତରଖାନା, ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସରେ ବି ପାଣି ପଶିଯାଇଛି ।

ଲଗାଣ ବର୍ଷା ଯୋଗୁଁ କେନ୍ଦ୍ରାପଡାରେ ଚାଷ ଜମିରେ ବର୍ଷା ପାଣି ଜମି ରହିଛି । ଧାନ ବିଲରେ ୪ ଫୁଟର ପାଣି ଜମି ରହିଛି । ୩ ଦିନ ଧରି ଲଗାଣ ବର୍ଷା ଫଳରେ ରାସ୍ତା ଘାଟ ବି ବୁଡିଯାଇଛି । ଗୋବରୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ହଜାର ହଜାର ହେକ୍ଟର ଚାଷ ଜମିରେ ବର୍ଷା ପାଣି ଜମି ଧାନ ଫସଲ ନଷ୍ଟ ହୋଇଯାଇଛି । ଫଳରେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ଜିଲ୍ଲାରେ ସମସ୍ତ ସ୍କୁଲ ଓ କଲେଜ ମଧ୍ୟ ବନ୍ଦ ରହିଛି ।

ବର୍ଷା ଯୋଗୁ ମହାକାଳପଡାରେ ମଧ୍ୟ ସ୍ଥିତି ସଂଗୀନ ହୋଇଛି । ଗାଁ ଗଣ୍ଡାରେ ପାଣି ପଶିବା ସହ ଘରେ ବି ବର୍ଷା ପାଣି ପଶି ଯାଇଛି । ଫଳରେ ଲୋକ ଘରଦ୍ୱାର ଛାଡି ଉଚ୍ଚ ସ୍ଥାନରେ ପଲିଥିନ ଟାଣି ରହିବା ଭଳ ପରିସ୍ଥିତି ଉପୁଜିଛି । ବର୍ଷା ଯୋଗୁଁ ଚାଷବାସ ସବୁ କିଛି ଉଜୁଡି ଯାଇଛି ।

ଲଗାଣ ବର୍ଷାରେ ବେହାଲ ହୋଇପଡିଛି ସେହି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ୍ । ବିଭିନ୍ନ ଅଂଚଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଫଳରେ ଲୋକମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘର ଭିତରେ ପାଣି ପଶିଯାଇଥିବା ବେଳେ ଲୋକେ ଘର ଭିତରୁ ପାଣି ବାହାର କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଘର ଭିତରେ ପାଣି ପଶିଥିବାରୁ ରୋଷେଇବାସରେ ସମସ୍ୟା ହୋଇଛି । ପାଣି ଜମି ରହିଥିବାରୁ ଥଣ୍ଡା ଜର ସହ ବିଭିନ୍ନ ରୋଗରେ ଲୋକେ ଆକ୍ରାନ୍ତ ହେଉଛନ୍ତି । ତେବେ ସମସ୍ୟା ପ୍ରତି ପ୍ରଶାସନ ଏଯାଏ କୌଣସି ପଦକ୍ଷେପ ନେଇ ନଥିବା ଲୋକେ ଅଭିଯୋଗ କରିଛନ୍ତି ।