ବଢିପାଣି ଛାଡିଗଲା ପରେ ବଢିଗଲାଣି ଚାଷୀଙ୍କ ଦୁର୍ଦ୍ଦଶା । ପାଣି ଭସାଇ ନେଲା ଚାଷୀଙ୍କ ପରିଶ୍ରମ । ଏପଟେ ଭଙ୍ଗା ଘରକୁ ସଜାଡୁଛନ୍ତି ବନ୍ୟା ବିପନ୍ନ

221

କନକ ବ୍ୟୁରୋ: ବନ୍ୟା ଛାଡିଛି, ହେଲେ ଛାଡି ଯାଇଛି କ୍ଷତ ଚିହ୍ନ । ବନ୍ୟା ଛାଡିବା ପରେ ଚାଷୀଙ୍କ ଦୁର୍ଦ୍ଦଶା ବଢିଛି । ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିବା କାରଣରୁ ଫସଲ ନଷ୍ଟ ହୋଇଛି । ଏବେ ଫସଲକୁ ରୋକପୋକ ଆକ୍ରମଣ କରିଛନ୍ତି । ସେପଟେ ବନ୍ୟା ପାଣି ଛାଡିବା ପରେ ଗାଁକୁ ଫେରିଛନ୍ତି ଲୋକେ । ଆଉ ଅସଜଡାଘରକୁ ଦିନରାତି ଏକ କରି ସଜାଡିବାରେ ଲାଗିଛନ୍ତି ।

ମହାନଦୀର ବଢି ପାଣି କମିବା ପରେ ବାଙ୍କୀ ଅଂଚଳର ବିପନ୍ନଙ୍କ ଦୁର୍ଦଶା ଆରମ୍ଭ ହୋଇଛି । ଶହ ଶହ ପରିବାର ଏବେ ଖୋଲା ଆକାଶ ତଳେ ପଡି ରହିଛନ୍ତି । ବନ୍ୟା ପାଣି ଗାଁ ଭିତରକୁ ମାଡି ଆସିବାରୁ ଜୀବନ ବିକଳରେ ସବୁକିଛି ଛାଡି ଗାଁ ମୁଣ୍ଡକୁ ଚାଲିଯାଇଥିଲେ । ଆଉ ଏବେ ପାଣି ଛାଡିବା ପରେ ଲୋକେ ଫେରିଆସି ଘର ସଜାଡିବାରେ ଲାଗିଛନ୍ତି । ଲଗାଣ ବର୍ଷା ଓ ଲଗାଣ ବର୍ଷା ଜନିତ ବନ୍ୟା ଚାଷୀଙ୍କ ବର୍ଷକର ପରିଶ୍ରମକୁ ଧୋଇ ନେଇଛି । କଟକ ଜିଲ୍ଲା କଂଟାପଡା ଓ ବାରଙ୍ଗ ବ୍ଲକର ହଜାର ହଜାର ଏକର ଜମିର ଫସଲ ନଷ୍ଟ ହୋଇଯାଇଛି । କେତକ ଜମି ଫାଟି ଆଁ କଲାଣି । କେନାଲରେ ପାଣି ନାହିଁ କି ବର୍ଷାର ଦେଖା ନାହିଁ ।

ସେପଟେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଂଚଳରୁ ଆସିଛି ବନ୍ୟା ପରେ ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର । ସ୍ୱଳ୍ପ ବୃଷ୍ଟି ପରେ ଲଗାଣ ବର୍ଷାର ଦାଉ ସମ୍ଭାଳିବା ପରେ ଏବେ ଫସଲରେ ଲାଗିଛି ରୋଗପୋକ । ତେବେ ଲଗାଣ ବର୍ଷା ଓ ବନ୍ୟା ପରେ ଚାଷୀଙ୍କ ଦୁର୍ଦ୍ଦଶା ବଢିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ବଢିପାଣି ଯୋଗୁଁ ଫସଲ ନଷ୍ଟ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି ।