କନକ ବ୍ୟୁରୋ: ଗତବର୍ଷ ମରୁଡ଼ି ପାଇଁ ଝାରସୁଗୁଡା ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଚଳିତ ବର୍ଷ ଜିଲ୍ଲାରେ ପୁଣି ଶିଳ୍ପଜନିତ ପ୍ରଦୂଷଣ ପାଇଁ ଫସଲହାନି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ଏହା ଉପରେ ତଦନ୍ତ ଆରମ୍ଭ କରି ପ୍ରଦୂଷଣ ବିଭାଗକୁ ରିପୋର୍ଟ ମାଗିଛନ୍ତି ।

Advertisment

publive-image

ଏ ହେଉଛି ଝାରସୁଗୁଡା ସହର ଉପକଣ୍ଠ କୁରେବଗା ଗାଁର ଦୃଶ୍ୟ । ଧାନ ଫସଲ ସହ ପନିପରିବା ଫସଲ ପୋଡି ନଷ୍ଟ ହେବାକୁ ବସିଲାଣି ।କେବଳ ଏହି ଗୋଟିଏ ଗାଁ ନୁହେଁ ନିକଟସ୍ଥ ବୃନ୍ଦାମାଳ, ଭାଗିପାଲି, କାତିକେଲା ,ଭୁର୍ଖାମୁଡ଼ାରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । କେଉଁ କାରଣରୁ ଫସଲ ନଷ୍ଟ ହେଉଛି ସ୍ପଷ୍ଟ ହୋଇନଥିବା ବେଳେ ଶିଳ୍ପରୁ ନିର୍ଗତ ଧୂଆଁ ଓ ବର୍ଯ୍ୟବସ୍ତୁ ପାଇଁ ଏ ସମସ୍ୟା ଦେଖା ଯାଇଥିବା ଅଭିଯୋଗ କରିଛନ୍ତି ପ୍ରଭାବିତ ଚାଷୀ । ଏନେଇ ଚାଷୀମାନେ ଝାରସୁଗୁଡା ଜିଲ୍ଳାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।

publive-image

ଗତବର୍ଷ ମଧ୍ୟ ବେଦାନ୍ତର ବିଷାକ୍ତ ଗ୍ୟାସ ପାଇଁ ଝାରସୁଗୁଡା ସହର ଉପକଣ୍ଠର ବିଭିନ୍ନ ଗାଁରେ ଧାନ ଫସଲ ପୋଡି ନଷ୍ଟ ହୋଇଥିଲା । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଧିକାରୀ ମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବେଦାନ୍ତର ପ୍ରଦୂଷଣ କାରଣରୁ ଫସଲ ନଷ୍ଟ ହୋଇଥିବା ରିପୋର୍ଟ ଦେଇଥିଲେ । ସେହି ରିପୋର୍ଟ ଆଧାରରେ ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ । ସେହି ଚିଠି କନକ ନ୍ୟୁଜ୍ ହାତରେ ଲାଗିଛି । ପ୍ରଦୂଷଣ ବୋର୍ଡର ନିର୍ଦେଶ ସତ୍ୱେ ବେଦାନ୍ତ କମ୍ପାନୀ ଚାଷୀଙ୍କୁ ଗତ ବର୍ଷର କ୍ଷତିପୂରଣ ଦେଇନଥିବା ବେଳେ ଏ ବର୍ଷ ବି ଫସଲ ପୋଡି ଗଲାଣି । ଫସଲ ନଷ୍ଟ ଅଭିଯୋଗ ଆସିବା ପରେ କୃଷି ଓ ଉଦ୍ୟାନ ବିଭାଗର ଅଧିକାରୀ ମାନେ ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଝାରସୁଗୁଡା ଜିଲ୍ଲାପାଳ ।

ଗତବର୍ଷ ବିଶେଷଜ୍ଞ ଦଳ ଶିଳ୍ପ ଜନିତ ପ୍ରଦୂଷଣ କାରଣରୁ ଫସଲ ନଷ୍ଟ ହୋଇଥିବା ଯାଞ୍ଚ ପରେ ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାର ବେଦାନ୍ତକୁ ନିର୍ଦ୍ଦେଶ ସତ୍ତ୍ୱେ କାହିଁକି ବିଳମ୍ବ ହୋଇଛି ? ତାର ତର୍ଜମା କରାଯିବ ବୋଲି ଝାରସୁଗୁଡା ଜିଲ୍ଲାପାଳ କହିଥିବା ବେଳେ ପ୍ରତିକ୍ରିୟା ପାଇଁ ବେଦାନ୍ତ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳି ପାରି ନାହିଁ ।