ଚାଲିଛି ନଦୀ ମାଫିଆଙ୍କ ରାଜ୍: ବେଆଇନ୍ ଆଡିବନ୍ଧ ଯୋଗୁଁ ଉଜୁଡି ଯାଉଛି ଚାଷ

61

କନକ ବ୍ୟୁରୋ: ବର୍ଷା ପାଣିରେ ବୁଡ଼ି ଯାଇଛି ଚାଷ ଜମି । ଜଗତସିଂହପୁର ଜିଲ୍ଲାରେ ହଜାର ହଜାର ହେକ୍ଟର ଜମିରେ ନଷ୍ଟ ହେଉଛି ଧାନ ଫସଲ । ଅନେକ ଗାଁ ମଧା ପାଣି ଘେରରେ ରହିଛି । ତେବେ ଏଥି ପାଇଁ ଦାୟି କିଏ? କାହିଁକି ବର୍ଷାରେ ଏଭଳି ସ୍ଥିତି ସୃଷ୍ଟି ହେଉଛି? ତାକୁ ନେଇ ଚାଲିଛି ଆଲୋଚନା । ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।

ମୁହାଣ ପୋତି ହୋଇଯିବାରୁ ନିଷ୍କାସନ ହୋଇପାରୁନି ପାଣି । ଧାନ ବିଲରେ ମାଡି ଯାଉଛି ସମୁଦ୍ର ଜୁଆର । କଳାପଡି ପଚି ଯାଉଛି ଧାନ ଗଛ । ଧାନ କ୍ଷେତକୁ ଦେଖି ଚାଷୀ ଆଖିରୁ ଝରୁଛି ଲୁହ । ଜଗତସିଂହପୁର ଜିଲ୍ଲାରେ ଏରସମା ଓ ବାଲିକୁଦା ବ୍ଲକ୍ରେ ଥିବା ବିଭିନ୍ନ ନଦୀରେ ଶହ ଶହ ବେଆଇନ ଆଡି ବନ୍ଧ ହୋଇଛି । ଫଳରେ ନଦୀର ଶ୍ରୋତ କମିବା ସହ ନଦୀ ଶଯ୍ୟା ଏବଂ ଜଟାଧାରୀ ମୁହାଣ ପୋତି ହୋଇଯାଉଛି । ଫଳରେ ଉଦ୍ବୃତ ବର୍ଷା ଜଳ ନିଷ୍କାସନ ହୋଇନପାରି ଚାଷବାସ ନଷ୍ଟ କରିଛି ।

ବର୍ଷା ହେଲେ ଶତାଧିକ ଗାଁରେ ପାଣି ପଶି ଯାଉଛି । ଏରସମା ବ୍ଲକ୍ ସର୍ବାଧିକ ପ୍ରଭାବିତ ହୋଇଛି । ଜିଲ୍ଲାର ଉଦ୍ବୃତ ବର୍ଷା ଜଳ ଏରସମାର ଜପା ପଂଚାୟତ ଦେଇ ଜଟାଧାର ମୁହାଣକୁ ଯାଏ । ତେଣୁ ଏହି ପଂଚାୟତ ଅଧିକ କ୍ଷତିଗ୍ରସ୍ତ ହୁଏ । ଚାଷ ନଷ୍ଟ ହେଉଥିବା ବେଳେ କ୍ଷତିପୂରଣ ମିଳୁନଥିବା ଅଭିଯୋଗ କରି ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଡି ବନ୍ଧ ଭାଙ୍ଗିବା ସହ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ସବୁ ବର୍ଷ ଜଳ ସମ୍ପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଚାଷୀଙ୍କ ସମସ୍ୟାରୁ ସମାଧାନ ହେଉନାହିଁ । ବରଂ ନାଳ ଓ କେନାଲରୁ ଦଳ ସଫା ଆଳରେ ଠିକାଦାର ପୋଷୁଛି ଜଳ ସଂପଦ ବିଭାଗ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଆଡି ବନ୍ଧ ଭଙ୍ଗା ଯାଉନାହିଁ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ହାତ ଗଣତି କିଛି ଆଡି ବନ୍ଧ ଭାଙ୍ଗି ଚୁପ୍ ବସିଛି ଡ୍ରେନେଜ୍ ବିଭାଗ ।