ନଦୀରେ କୁମ୍ଭୀର, ମତ୍ସ୍ୟଜୀବୀଙ୍କ ପେଟରେ ଭୋକ: ବିରୁପା ନଦୀରେ ମହିଳାଙ୍କୁ କୁମ୍ଭୀର ଆକ୍ରମଣ ପରଠୁ ମତ୍ସ୍ୟଜୀବୀଙ୍କୁ ନଦୀକୁ ଯିବା ମନା
କନକ ବ୍ୟୁରୋ: ଜୀବିକା ଉଜାଡି ଦେଇଛି କୁମ୍ଭୀର ଭୟ । ମାଛ ମରାକୁ ବୃତି କରି ପେଟ ପୋଶୁଥିବା ୫୦ ମତ୍ସଜୀବୀ ପରିବାର ଏବେ କୂଳରେ ଡଙ୍ଗା ବାନ୍ଧି ହାତ ଟେକି ବସିଛନ୍ତି । ନିକଟରେ ଏକ ମହିଳାଙ୍କୁ କୁମ୍ଭୀର ନଦୀକୁ ଟାଣି ନେଇ ଝୁଣିଝୁଣି ଖାଇଥିବା ବେଳେ ସେହି ଭୟରେ ଏବେ ମତ୍ସଜୀବୀ ପରିବାରଙ୍କ ବୃତି ମରିଯିବାକୁ ବସିଛି । ଘରେ ଖାଇବାକୁ ଅର୍ଥ ନଥିବା ବେଳେ ମାଛ ମରା ସେମାନଙ୍କ ଅର୍ଥ ଉପାର୍ଜନର ମୁଖ୍ୟ ମାଧ୍ୟମ ଥିଲା । ଯାହାକୁ ନେଇ ଏବେ ଚିନ୍ତାରେ ବରୀ ବ୍ଲକ ଅମଠପୁର ଅଂଚଳର ମତ୍ସଜୀବୀ ।

Kanak News is now on WhatsApp
Join and get latest news updates delivered to you via WhatsApp
କୁମ୍ଭୀର ଭୟରେ ନଦୀକୁ ଯିବାକୁ ବାରଣ କରୁଛି ପ୍ରଶାସନ । ଜୀବନ ଭୟରେ ଉଜଡି ଯାଉଛି ଜୀବିକା । ମହାନଦୀର ଶାଖା ବିରୁପା ନଦୀରେ କୁମ୍ଭୀର ଭୟ ଥିବାରୁ ଦୁର୍ଦିନରେ କାଳ କାଟୁଛନ୍ତି ଯାଜପୁର ବରୀ ବ୍ଲକ ଅମଠପୁର ଅଂଚଳର ୫୦ରୁ ଅଧିକ ମତ୍ସଜୀବୀ ପରିବାର । ୨ ମାସ ତଳେ ଏହି ଅଂଚଳର ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇ ଝୁଣିଝୁଣି ଖାଇ ଦେବାର ଚିତ୍ର ସମସ୍ତେ ଦେଖିଥିଲେ । ଏହାପରେ ନଦୀକୁ ନଯିବାକୁ ବାରଣ କରିବା ସହ ୫ହଜାର ଟଙ୍କାର ଜରିମାନା ତାଗିଦ୍ କରିଛି ଯାଜପୁର ପ୍ରଶାସନ । ଆଉ ଏହାପରେ ବିରୁପା କୂଳରେ ଡଙ୍ଗାକୁ ବାନ୍ଧି ଦେଇ ଭୋକ ଉପାସରେ ରହୁଛନ୍ତି ମତ୍ସ୍ୟଜୀବୀ ।
ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନଦୀରୁ ମାଛ ମାରି ଦୁଇ ପଇସା ରୋଜଗାର କରିନ୍ତି । ସେଥିରେ ମତ୍ସ୍ୟଜୀବୀ ପରିବାର ପ୍ରତିପୋଷଣ ସହ ପିଲାଙ୍କ ପାଠପଢ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ଭରଣା କରିଥାନ୍ତି । ହେଲେ ଏବେ ପ୍ରଶାସନର କଟକଣା ଯୋଗୁଁ ନଦୀ ପଠାରେ ଡଙ୍ଗା ହୋଇ ଥୁଆ ହୋଇଥିଲେ ବି ନଦୀକୁ ମାଛ ମାରିବାକୁ ଯାଇପାରୁନାହାନ୍ତି ମତ୍ସ୍ୟଜୀବୀ । ଫଳରେ ପରିବାର ଚଳିବାକୁ ଟଙ୍କା ନଥିବା ବେଳେ ରାସନ ଭାତରେ ହିଁ ପେଟ ପୁରୁଛି । ଏଭଳି ସ୍ଥିତିରେ ଡଙ୍ଗା ପାଇଁ ମତ୍ସ୍ୟଜୀବୀ ଆଣିଥିବା ଋଣ କେମିତି ସୁଝିବେ ବୋଲି ବୋଲି ପ୍ରଶ୍ନ କରିଛନ୍ତି ।