ଭିତରକନିକା ନିକଟରେ କୁମ୍ଭୀର ଆତଙ୍କ: ଭୟଭୀତ କେନ୍ଦ୍ରାପଡାର ନଇକୂଳିଆ ଲୋକ

102

କନକ ବ୍ୟୁରୋ: ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା । ଭିତରକନିକାର ଡାଙ୍ଗମାଳ ଠାରେ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର ରହିଛି । ପ୍ରତିବର୍ଷ ପ୍ରଜନନ କେନ୍ଦ୍ରରୁ ୪ ଫୁଟରୁ ଅଧିକ ଲମ୍ବର କୁମ୍ଭୀରଙ୍କୁ ଭିତରକନିକାର ନଦୀ ନାଳରେ ଛାଡି ଦିଆଯାଉଛି । ଧିର ଧିରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବନବିଭାଗର କଡା ସୁରକ୍ଷା ଯୋଗୁଁ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପରିବେଶ ପାଇଁ ଖୁସି ଖବର । କୁମ୍ଭୀର ସଂଖ୍ୟା ବୃଦ୍ଧିକୁ ନେଇ ବନବିଭାଗ ଖୁସିବ୍ୟକ୍ତ କରୁଥିବା ବେଳେ ରାଜନଗର ଅଂଚଳବାସୀ ଭୟରେ ଆତଙ୍କିତ ଜୀବନ ବିତାଉଛନ୍ତି ।

ରାଜନଗର ଅଂଚଳରେ ଏବେ କୁମ୍ଭୀର ଆତଙ୍କ ବଢିବାରେ ଲାଗିଛି । ନଇ କୂଳିଆ ଅଂଚଳରେ ମାତିଛି ମଣିଷଖିଆ ମଗର । ୩ ମାସରେ ନେଲାଣି ୩ ଜୀବନ । ପ୍ରତିବର୍ଷ କୁମ୍ଭୀର ଆକ୍ରମଣରେ ପ୍ରାଣ ହାରୁଛନ୍ତି ନଈକୂଳିଆ ଲୋକେ । ମାଛ ଧରିବାକୁ ଯାଇଥିବା ଭେକ୍ଟା ଗାଁର ଉମାରାଣି ପରିଡାଙ୍କୁ ନଦୀକୁ ଝାମ୍ପି ନେଇଥିଲା ବିଶାଳକାୟ ବଉଳା କୁମ୍ଭୀର ।

ଗାଧୋଇବା ବେଳେ ଜଗନ୍ନାଥପୁର ଗାଁର ପୁରୁଷୋତମ ଧଳଙ୍କୁ ଟାଣି ନେଇ ମାରିଦେଇଛି କୁମ୍ଭୀର । ପୁରୁଷୋତମଙ୍କୁ ହରାଇ ସ୍ତ୍ରୀ, ପିଲା ଓ ପରିବାରଙ୍କ ଆଖିରୁ ଲୁହ ଶୁଖୁନି । ବ୍ରାହ୍ମଣୀ କୂଳରେ ଗାଇ ଚରାଉଥିବା ବେଳେ କୁମ୍ଭୀର ମୁହଁରେ ପଡି ପ୍ରାଣ ହରାଇଛନ୍ତି ଶ୍ରୀରାମପୁର ଗାଁର ବସନ୍ତ ପରିଡା । ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ନଦୀକୁ ନଗଲେ ନହେବ । କାରଣ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଂଚଳର ଅଧିକାଂଶ ଲୋକେ ନଦୀ ଉପରେ ନିର୍ଭରଶୀଳ । ଅନେକ ନଦୀରୁ ମାଛ ଧରି ଜୀବିକା ନିର୍ବାହ କରୁଥିବା ବେଳେ ନିତ୍ୟ ବ୍ୟବହାର ପାଇଁ ନଈ ପାଣିକୁ ବ୍ୟବହାର କରିଥାନ୍ତି ।
କୁମ୍ଭୀର ଦେଖିବା ପାଇଁ ପର୍ଯ୍ୟଟକ ଭିତରକନିକାକୁ ଆସୁଛନ୍ତି । ହେଲେ ସେଇ କୁମ୍ଭୀର ଗତ ୨୦ ବର୍ଷରେ ଭିତରକନିକା ଅଂଚଳରୁ ୧୦୦ରୁ ଅଧିକ ଜୀବନ ନେଇଛି । କିନ୍ତୁ ବନବିଭାଗ ଖାତାରେ ମୃତ୍ୟୁ ସଂଖ୍ୟା ମାତ୍ର ୩୪ । କୁମ୍ଭୀର ଆକ୍ରମଣରେ ମୃତ ଓ ଆହତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି । କୁମ୍ଭୀର ଆକ୍ରମଣରେ ମୃତ୍ୟୁ ହେଲେ ୪ ଲକ୍ଷ, ଗୁରୁତର ହେଲେ ୧ ଲକ୍ଷ ଟଙ୍କାର ସହାୟତା ରାଶି ଦେବାର ବ୍ୟବସ୍ଥା ରହିଛି ।

କିନ୍ତୁ ଜାତୀୟ ଉଦ୍ୟାନ ପରିଧି ଭିତରେ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ହେଲେ ବନବିଭାଗ କ୍ଷତିପୂରଣ ଦେଉନି । ଅନେକ ମୃତାହତଙ୍କ ନାଁ ବନବିଭାଗ ଖାତାକୁ ଆସୁନି । ବର୍ଷେ ତଳେ ବଗପାଟିଆ ଗାଁର ରଂଜନ ମହାନ୍ତି ମଇଁଷି ନେଇ ବାଉଁଶଗଡି ନଦୀ ପାର ହେଉଥିବା ବେଳେ କୁମ୍ଭୀର ଆକ୍ରମଣରେ ତାଙ୍କ ଜୀବନ ଯାଇଛି । ଏପର୍ଯ୍ୟନ୍ତ ତାଙ୍କ ପରିବାରଙ୍କୁ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି ।

ପ୍ରତିବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଉଛି । କୁମ୍ଭୀର କେତେବେଳେ ଗାଁ ଦାଣ୍ଡରେ ତ କେତେବେଳେ ପୋଖରୀରୁ ଉଦ୍ଧାରେ ହେଉଛି । ଅନ୍ୟପଟେ ନଦୀ ଗୁଡିକ ମୁକୁଳା ପଡିଛି । ଯାହା ନଦୀ କୂଳିଆ ଲୋକଙ୍କ ନିଦ ହଜେଇ ଦେଇଛି ।