ଦେବୀ ନଦୀରେ କୁମ୍ଭୀର ଆତଙ୍କ: କୁମ୍ଭୀରଙ୍କୁ ଦେଖି ଲୋକେ ଭୟଭୀତ

157

କନକ ବ୍ୟୁରୋ: ପୁରୀ–ଜଗତସିଂହପୁର ଜିଲ୍ଲାର ଜୀବନ ରେଖା ଭାବେ ପରିଚିତ ଦେବୀ ନଦୀରେ କୁମ୍ଭୀର ଆତଙ୍କ । ୪ ବର୍ଷ ହେଲା ଦେବୀ ନଦୀରେ ବାରମ୍ବାର ୩ଟି କୁମ୍ଭୀରର ଅବସ୍ଥିତ ନଇକୂଳିଆ ଲୋକଙ୍କୁ ଚିନ୍ତାରେ ପକାଇଛି । ଏହାସହ ସେମାନେ ବଂଶ ବୃଦ୍ଧି କରିବା ଘଟଣା ସାମନାକୁ ଆସିବା ପରେ ଲୋକଙ୍କ ଭୟ ବଢିଯାଇଛି । କୁମ୍ଭୀରଙ୍କୁ ସୁରକ୍ଷିତ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପୁରୀ ବନ୍ୟ ପ୍ରାଣୀ ବିଭାଗ ପାଖରେ ଦାବି ହୋଇଥିଲେ ମଧ୍ୟ ବିଭାଗ କର୍ଣ୍ଣପାତ ନକରିବା ଘଟଣା ଲୋକଙ୍କୁ ବ୍ୟଥିତ କରୁଛି ।

ଦେବୀ ନଦୀରେ ବଉଳା କୁମ୍ଭୀର । କୁମ୍ଭୀରର ଦୃଶ୍ୟ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ବେଳେ ନଇ କୁଳିଆ ଲୋକଙ୍କ ମନରେ ଛନକା ପଶିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ୩ଟି କୁମ୍ଭୀର ଦେବୀ ନଦୀରେ ବାରମ୍ବାର ଦେଖିବାକୁ ମିଳିଛି । ପ୍ରାୟ ୪ ବର୍ଷ ତଳେ ପ୍ରଥମେ କୁମ୍ଭୀରଗୁଡିଙ୍କୁ ନଦୀରେ ଦଖିବାକୁ ମିଳିଥିଲା । ଏହାପରେ ଏମାନଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଲୋକେ ଦାବି କରିଥିଲେ । ହେଲେ ପୁରୀ ବନ୍ୟ ପ୍ରାଣୀ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହିଁ । ଫଳରେ ନଦୀ କୂଳିଆ ଲୋକମାନେ ଦେବୀ ନଦୀକୁ ଯିବାକୁ ଭୟ କରୁଛନ୍ତି ।

ପୁରୀ–ଜଗତସିଂହପୁର ଜିଲ୍ଲାରେ ସୀମାରେ ଦେବୀ ନଦୀ ପ୍ରବାହିତ ହେଉଛି । ଅସ୍ତରଙ୍ଗ ଠାରୁ ଶିଖର ଘାଟ ପର୍ଯ୍ୟନ୍ତ ପ୍ରାୟ ୨୫ କିଲୋମିଟର ନଦୀରେ ଏହି କୁମ୍ଭୀର ୩ଟିଙ୍କୁ ଦେଖିବାକୁ ମିଳୁଛି । କୁମ୍ଭୀର ଭୟରେ ମତ୍ସ୍ୟଜୀବୀମାନେ ନଦୀକୁ ମାରିବାକୁ ଯାଇପାରୁନାହାନ୍ତି । ଲୋକେ ନଦୀକୁ ଗାଧୋଇବା ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଯିବାକୁ ଡରୁଛନ୍ତି । ଭଣ୍ଡିସାହି ଓ ତାଳଦା ଘାଟର ଡଙ୍ଗା ଚାଳକମାନେ ମଧ୍ୟ ଭୟ ଭିତରେ ଯାତ୍ରୀ ପରିବହନ କରୁଛନ୍ତି ।

୪ ବର୍ଷ ଧରି ଏତେ ବଡ ବଡ କୁମ୍ଭୀର ଦେବୀ ନଦୀରେ ବିଚରଣ କରୁଥିବାରୁ ଏମାନେ ବଂଶବୃଦ୍ଧି କରିଥିବା ନେଇ ନଇ କୂଳିଆ ଲୋକେ ଆଶଙ୍କା କରୁଛନ୍ତି ।