ମହାକାଳପଡା ଓଳିହା ଓ ଦେଉଳିପଡାରେ ବଢୁଛି ଆତଙ୍କ । ଭାଙ୍ଗିଯାଇଛି ତାରଜାଲି ଘେରା ସୁରକ୍ଷା ବାଡ, ସୁରକ୍ଷା ଦାବି କଲେ ଗାଁର ଭୟଭୀତ ଲୋକେ

136

କନକ ବ୍ୟୁରୋ : କୁମ୍ଭୀର ଯୋଗୁ ଗାଁରେ ବଢୁଛି ଆତଙ୍କ । କିଭଳି ସୁରକ୍ଷିତ ରହିବେ ସେ ନେଇ ବଢୁଛି ଚିନ୍ତା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଓଳିହା ଓ ଦେଉଳିପଡା ଗାଁ ନିକଟରେ ରହିଛି ଗୋବରୀ ନଦୀ । ଯେଉଁଠି ଦିନକୁ ଦିନ କୁମ୍ଭୀର ମାନଙ୍କର ସଂଖ୍ୟା ବଢିଚାଲିଛି । ଏହି କୁମ୍ଭୀର ଆକ୍ରମଣରୁ ଗ୍ରାମବାସୀ ମାନଙ୍କୁ ସୁରକ୍ଷା ଦେବାପାଇଁ ବନ ବିଭାଗ ପକ୍ଷରୁ ତିଆରି ହୋଇଥିଲା ତାରଜାଲି ଘେରା ସୁରକ୍ଷାବାଡ । ଯାହାକି ଏବେ ଭାଙ୍ଗିରୁଜି ଗଲାଣି । ପ୍ରାୟ ଦୁଇ ବର୍ଷ ପୁର୍ବରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଗାଧୁଆ ତୁଠରେ ନିର୍ମାଣ ହୋଇଥିଲା ଏହି ତାରଜାଲି ଘେରା ସୁରକ୍ଷା ବାଡ । ହେଲେ ଏବେ ଭାଙ୍ଗିଯାଇଥିବାରୁ ଲୋକେ ଆଉ ପାଣି କୂଳକୁ ବି ଯାଉନାହାନ୍ତି । ପ୍ରତିଟି କାମରେ ତାଙ୍କର ନଦୀ ପାଣି ବ୍ୟବହାର ହୋଇଥାଏ । ହେଲେ ଏବେ କୁମ୍ଭୀର ଭୟ ଯୋଗୂୁ ଲୋକେ ନଦୀକୁ ଯାଉନାହାନ୍ତି । କିଛି ସମୟ କୁମ୍ଭୀର ନଦୀକୂଳରେ ଶୋଇଥିବାର ଦେଖି ଲୋକେ ଏବେ ଭୟଭୀତ ହୋଇରହିଛନ୍ତି ।

ଓଳିହା ଗ୍ରାମର ଗୋବରୀ ନଦୀରେ ବନ ବିଭାଗ ପକ୍ଷରୁ ସମୁଦାୟ ୪ ଗୋଟି ଗାଧୁଆ ତୁଠରେ ସୁରକ୍ଷା ବାଡ ତିଆରି ହୋଇଥିଲା । ୨ ଟି ୨ ବର୍ଷ ପୁର୍ବରୁ ଏବଂ ଅନ୍ୟ ୨ ଟି ନୁତନ ଭାବରେ ପ୍ରାୟ ୫ ମାସ ପୁର୍ବରୁ ତିଆରି ହୋଇଥିଲା । । ହେଲେ ନଦୀ ମଧ୍ୟରେ ୨ ବର୍ଷ ତଳେ ତିଆରି ହୋଇଥିବା ସୁରକ୍ଷା ବାଡର ତାରଜାଲି ଭାଙ୍ଗିରୁଜି ନଷ୍ଟ ହୋଇଯିବା ସହିତ କେବଳ ଖୁଂଟ ଛିଡା ହୋଇଛି । ସେହିପରି ଦେଉଳିପଡା ଗ୍ରାମରେ ତିଆରି ହୋଇଥିବା ସୁରକ୍ଷାବାଡର ଅବସ୍ଥା ନକହିଲେ ଭଲ ।

କୁମ୍ଭୀର ଆକ୍ରମଣରୁ ଲୋକ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ତିଆରି ହୋଇଥିବା ସୁରକ୍ଷାବାଡ ଗୁଡିକର ଯଥାଶୀଘ୍ର ମରାମତି କରିବାପାଇଁ ବିଭାଗୀୟ ଅଧୀକାରୀ ମାନଙ୍କ ନିକଟରେ ଦାବି କରିଛନ୍ତି ନଦୀ କୁଳିଆ ବାସିନ୍ଦା ।