ଲଗାଣ ବର୍ଷା ଯୋଗୁଁ ଗାଁ ଦାଣ୍ଡରେ ଜମୁଛି ପାଣି । କବାଟ ଖୋଲିଲେ କୁମ୍ଭୀର ଭୟ, ଘରୁ ବାହାରିବାକୁ ଡରୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଂଚଳର ଲୋକେ, ଏପଟେ ରାଜନଗରରେ ବର୍ଷା ପାଣିରେ ବୁଡି ନଷ୍ଟ ହେବାକୁ ବସିଲାଣୀ ଚାଷୀର ଫସଲ ।

267

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ କେଉଁଠି ଘରେ ପାଣି ପଶିଛି, ତ ଆଉ କେଉଁଠି ଯାତାୟତ ପ୍ରଭାବିତ ହୋଇଛି । କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଳା ରାଜକନିକା ଅଂଚଳରେ ବନ୍ୟା ଯୋଗୁଁ ଆଉ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ବନ୍ୟା ପାଣି ଗାଁକୁ ପଶି ଆସିବାରୁ ଏବେ ଗ୍ରାମବାସୀଙ୍କୁ ଘାରିଛି କୁମ୍ଭୀର ଚିନ୍ତା । କାରଣ, ପାଖରେ ନଦୀ ଥିବାରୁ ଗାଁ ଭିତରକୁ କୁମ୍ଭୀର ଚାଲି ଆସୁଥିବା ଆଶଙ୍କା କରି ଲୋକେ ଘରୁ ପାଦ କାଢ଼ୁ ନାହାଁନ୍ତି ।

ପାଣି ବଢ଼ିଲେ କୁମ୍ଭୀର ଭୟ
ଗାଁ ଦାଣ୍ଡରେ ଆଂଠୁଏ ପାଣି

ଗାଁ ଦାଣ୍ଡରେ ପାଣି ବଢ଼ିଲେ ବଢୁଛି ଲୋକଙ୍କ ଭୟ । କାରଣ, ଏହି ବନ୍ୟା ପାଣି ଯୋଗୁଁ ଗାଁକୁ କୁମ୍ଭୀର ଚାଲି ଆସୁଥିବା କହୁଛନ୍ତି ସ୍ଥାନୀୟ ବାସିନ୍ଦା । ଏଭଳି ସ୍ଥିତିରେ ଲୋକ ଘରୁ ବାହାରକୁ ଗୋଡ଼ କାଢ଼ିବାକୁ ଭୟ କରୁଛନ୍ତି । ଲଗାଣ ବର୍ଷା ଯୋଗୁଁ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀରେ ଜଳସ୍ତଳ ବଢ଼ୁଛି । ଯାହାର ପ୍ରଭାବ ନଈକୂଳିଆ ଅଂଚଳରେ ପଡ଼ୁଛି ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ର ଜୟକୁଣ୍ଡା ଗାଁରେ ଏବେ ଲୋକଙ୍କ ଭିତରେ ଛନକା । ଗାଁରେ କୁମ୍ଭୀରଙ୍କ ପ୍ରାର୍ଦୁାଭବ ଥିବା ବେଳେ ଏବେ ବନ୍ୟା ସ୍ଥିତି ଲୋକଙ୍କ ମନରେ ଭୟ ବଢ଼ାଇ ଦେଇଛି । ଏପଟେ ଜିଲ୍ଲାର ରାଜନଗର ଅଂଚଳରେ ବନ୍ୟା ସ୍ଥିତି ଯୋଗୁଁ ବ୍ୟାପକ ପରିମାଣର ଫସଲ ନଷ୍ଟ ହେବାକୁ ବସିଲାଣୀ । ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଯୋଗୁଁ ରାଜନଗରର ଚାଷ ଜମିରେ ବନ୍ୟା ପାଣି ଜମି ରହିଛି । ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ନିଷ୍କାସନ ବାଟ ବନ୍ଦ ହୋଇଯାଇଥିବାରୁ ରୁଆ ଧାନ ନଷ୍ଟ ହୋଇଯିବା ଆଶଙ୍କ କରିଛନ୍ତି ରାଜନଗର ଅଂଚଳର ଚାଷୀ ।

ଗୋଟିଏ ପଟେ କୁମ୍ଭୀର ଯୋଗୁଁ ଜୀବନ ଭୟ, ଆଉ ଗୋଟିଏ ପଟେ ଫସଲ ନଷ୍ଟ ଯୋଗୁଁ ଜୀବୀକା ଯିବାର ଭୟ । ଏହାରି ଭିତରେ ଛନ୍ଦି ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଏବଂ ରାଜକନିକା ଅଂଚଳର ଲୋକେ ।