କୁମ୍ଭୀର ସହ ୧୦ ମିନିଟର ଲଢେଇ । ନଦୀ ପାର ହୋଇ ଫେରିବା ବେଳେ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର, ଲଢ଼େଇ କରି ମରଣ ମୁହଁରୁ ଫେରି ଆସିଲେ ଯୁବକ ।

3,462

କନକ ବ୍ୟୁରୋ : କେନ୍ଦ୍ରାପଡା ବିରୂପା ନଦୀରେ ପୁଣି କୁମ୍ଭୀର ଆତଙ୍କ । ଇନ୍ଦୁପୁର ଅଂଚଳ ହାବେଳୀ ଗାଁର ମିଟୁ ସେଠୀ ଗାଇ ଚରାଇ ନଦୀରେ ପହଁରି ପହଁରି ଫେରୁଥିବାବେେଳେ ଆକ୍ରମଣ କଲା ୧୨ ଫୁଟ ଲମ୍ବର କୁମ୍ଭୀର । ତେବେ କୌଶଳ କ୍ରମେ କୁମ୍ଭୀର ସହ ଲଢ଼େଇ କରି ବଂଚିଯାଇଛନ୍ତି ମିଟୁ ।

କୁମ୍ଭୀର ପାଟିରେ ମଣିଷ । ପାଣି ଭିତରେ ୧୦ ମିନିଟ୍ ମଣିଷ-କୁମ୍ଭୀର ଲଢେଇ । ଇନ୍ଦୁପୁର ଅଂଚଳର ମିଟୁ ସେଠୀ ଗାଈ ଚରେଇ ସାରିବା ପରେ ପହଁରି ପହଁରି ନଦୀ ପାର ହୋଇ ଘରକୁ ଫେରୁଥିଲେ । ଏହି ସମୟରେ ସେ ଅଚାନକ ଏକ କୁମ୍ଭୀର ହାବୁଡରେ ପଡିଯାଇଥିଲେ । ମିଟୁଙ୍କ ଉପରକୁ ଆକ୍ରମଣ କରିଥିଲା କୁମ୍ଭୀର । ଗୋଡକୁ କାମୁଡି ଧରିଥିଲା । ଆଉ ଖସିବା ପାଇଁ ପାଣି ଭିତରେ ସେ କୁମ୍ଭୀର ସହ ପ୍ରାୟ ୧୦ ମିନିଟ୍ କାଳ ଲଢ଼େଇ କରିଥିଲେ । ଶେଷରେ ଖଣ୍ଡିଆ ଖାବରା ହୋଇ କୁମ୍ଭୀର ମୁହଁରୁ ଖସିବାରେ ସକ୍ଷମ ହୋଇଥିଲେ ମିଟୁ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଉଛି ।

ଦୁଇମାସ ତଳେ ଏହି ନଦୀରେ ପଟ୍ଟାମୁଣ୍ଡାଇ ଅଂଚଳରେ ଦୁଇ ଜଣଙ୍କୁ ଟାଣି ନେଇଥିଲା କୁମ୍ଭୀର । କେନ୍ଦ୍ରାପଡାରେ ବାରମ୍ବାର ଏଭଳି କୁମ୍ଭୀର ଆକ୍ରମଣ ହେଉଥିଲେ ମଧ୍ୟ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଠୋସ ପଦକ୍ଷେପ ନିଆଯାଉନଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଉଛି ।