କନକ ବ୍ୟୁରୋ: ଅନୁଗୋଳର ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଓ ପକ୍ଷୀଗଣନା । ଏଥିପାଇଁ ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିବିଜନରେ ୧୪ଟି ଟିମ ବିଭିନ୍ନ ଜାଗାରେ ଡଙ୍ଗାରେ ଯାଇ ପକ୍ଷୀ ଓ କୁମ୍ଭୀର ଗଣନା କରାଯାଉଛି । ଚଳିତ ବର୍ଷ କେବଳ ୧୪ଟି ଦେଶୀ ଡଙ୍ଗା ସାହାଯ୍ୟରେ ଏହି ଗଣନା ଚାଲିଛି । ଗଣନା ନିମନ୍ତେ ଚଳିତମାସ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ସାତକୋଶିଆ ମହାନଦୀ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବନ୍ଦ କରାଯାଇଛି ।
୬, ୭ ଓ ୮ ତାରିଖ କୁମ୍ଭୀର ଗଣନା ଏବଂ ୧୦ ତାରିଖରେ ପକ୍ଷୀ ଗଣନା କରାଯିବ । ଟିକରପଡ଼ାରୁ ବିନିକେଇ, ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ସେହିପରି ଆଠମଲ୍ଲିକର ହରଭଙ୍ଗାରୁ ଅଏଡ଼ା, ଲୁଣହାଣ୍ଡି, ବେଲପୁଞ୍ଜି ମଠ, ଶିଶୁପଥର ଡ୍ୟାମ ଆଦି ଜଳାଶୟରେ କୁମ୍ଭୀର ଓ ପକ୍ଷୀ ଗଣାଯିବ । ଏଥିଲାଗି ମୋବାଇଲ ଟ୍ରାକିଂ, ଜିପିଏସ୍, ବାଇନାକୁଲାର୍ ଓ ସ୍ୱତନ୍ତ୍ର କ୍ୟାମେରାର ବ୍ୟବସ୍ଥା କରାଯାଇଛି । ନିଜେ ଡିଏଫଓ ସାତକୋଶିଆ ଗଣନା କାର୍ଯ୍ୟର ତଦାରଖ କରିଛନ୍ତି ।