ଚୀନ ସାଙ୍ଘାଇ ସ୍ଥିତି ସାଙ୍ଘାତିକ । କରୋନା ଭିତରେ ମାନସିକ ହତାଶା ଭୋଗୁଛନ୍ତି ଲୋକେ, ବଢୁଛି ଆତ୍ମହତ୍ୟା ।

354

କନକ ବ୍ୟୁରୋ: ଚୀନର ମୁଖ୍ୟ ବାଣିଜ୍ୟିକ ସହର ସାଙ୍ଘାଇରେ କରୋନା ସଂକ୍ରମଣ ବଢିବାରୁ ସମଗ୍ର ସହରକୁ ସିଲ କରାଯାଇଛି । ଏହାସହ ଅନ୍ୟ ଏକାଧିକ ସହରରେ ମଧ୍ୟ ଲକ୍ ଡାଉନ୍ ହୋଇଛି । ଫଳରେ ଲୋକଙ୍କ ପାଖରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ । ଏଭଳି ସ୍ଥିତିରେ ଖାଦ୍ୟ ସାମଗ୍ରୀ ପାଇବାକୁ ଲୋକେ ହନ୍ତସନ୍ତ ହେଉଛନ୍ତି । ସବୁଠାରୁ ଜଟିଳ ହୋଇଛି ସାଂଘାଇର ଅବସ୍ଥା । ସହରର ପାଖାପାଖି ୨୬ ନିୟୁତ ଲୋକ ଏବେ ସମ୍ପୂର୍ଣ୍ଣ ଲକଡାଉନ ଭିତରେ ରହିଥିବାରୁ ଏଠାରେ ଘୋର ମାନବୀୟ ସଙ୍କଟ ସୃଷ୍ଟି ହୋଇଛି ।

ଚୀନ୍ କର୍ତ୍ତୃପକ୍ଷଙ୍କ ଲକଡାଉନ୍ ନୀତି ଅତ୍ୟନ୍ତ ଦମନମୂଳକ ବୋଲି ଦର୍ଶାଇ ହଜାର ହଜାର ବାସିନ୍ଦା ପ୍ରତିବାଦ କରିଛନ୍ତି । ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମ୍ରଗୀ ପହଞ୍ଚିପାରୁନାହିଁ । ଖାଦ୍ୟର ଘୋର ଅଭାବ ଦେଖାଦେଇଛି । ଔଷଧପତ୍ର ମଧ୍ୟ ଠିକଭାବେ ମିଳୁନାହିଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏପରି ସ୍ଥିତିରେ ଲୋକେ ଖାଦ୍ୟ ପାଇବା ଆଶାରେ କରୋନା ନିୟମ ଭାଙ୍ଗୁଛନ୍ତି ଏବଂ ଜାଣିଶୁଣି ଜେଲ ଯିବାକୁ ପସନ୍ଦ କରୁଛନ୍ତି, ଯେଉଁଠି ଅନ୍ତତଃ ଦିବୋଳି ଦିମୁଠା ଖାଦ୍ୟ ମିଳିପାରିବ ।

ଖାଦ୍ୟ ପାଇଁ ଲୋକେ ଚିକ୍ରାର କରୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକଙ୍କ ଘରେ ଖାଦ୍ୟ ନଥିବାରୁ ସାଙ୍ଘାଇରେ ଅନେକ ସମୟରେ ଦଙ୍ଗା ଓ ବିଦ୍ରୋହ ଦେଖାଦେଉଛି । ଏଠିକାର ସୁପରମାର୍କେଟରେ ଲୁଟପାଟ୍ ଆରମ୍ଭ ହୋଇଯାଇଛି । କରୋନା ପାଇଁ ଚୀନ ପ୍ରଶାସନ ଏତେ କଠୋର ନିୟମ କରିଛି ଯେ, କରୋନା ହୋଇଥିବା ବ୍ୟକ୍ତିଙ୍କ ପୋଷା କୁକୁର , ବିଲେଇଙ୍କୁ ବି ଗୁଳି କରିବାକୁ ମାରିଦେବାକୁ ନିର୍ଦ୍ଦେଶ ଦେଉଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ ।

ପୂର୍ବରୁ ୨ ବର୍ଷ ଧରି ଲକଡାଉନ ହେବା ପରେ ପୁଣି ଟିକେ ସଳଖ ହୋଇ ଛିଡା ହେବା ପୂର୍ବରୁ ପୁଣି ଥରେ ଚୀନରେ ଉଭା ହୋଇଛି କରୋନା । ସାଙ୍ଘାଇ ସମେତ ଚୀନର ଏକାଧିକ ସହରରେ କରୋନା ପୁଣି ମୁଣ୍ଡ ଟେକିଥିବାରୁ ଏଠାରେ କଡାକଡି ନିୟମ ଭିତରେ ଘରେ ବାନ୍ଧି ହୋଇ ରହୁଛନ୍ତି ଲୋକେ । ପୁଣି ଥରେ ବୃତ୍ତି ହରାଇ ହତାଶ ହୋଇପଡିଛନ୍ତି ଲୋକେ । ପୁଣି ଥରେ କରୋନାର କରାଳ ମୁଖରେ ପଡି କ୍ଷୁଧାରୁ ବର୍ତ୍ତିବା ପାଇଁ କିଛି ଲୋକ ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଛି ।

୨୦୨୦ରେ ଚୀନର ଉହାନ ସହରରୁ କରୋନା ଭୂତାଣୁ ଉତ୍ପତ୍ତି ହୋଇ ସାରା ବିଶ୍ୱକୁ ବ୍ୟାପୀଯିବା ପରେ ହାହାକାର ପଡିଯାଇଥିଲା । ଅକାଳରେ ଝରିପଡିଲା ଲକ୍ଷ ଲକ୍ଷ ଜୀବନ । ଏଥିପାଇଁ ବିଭିନ୍ନ ଦେଶ ଚୀନ ଉପରେ କଠୋର ପଦକ୍ଷେପ ନେବାକୁ ଦାବି ମଧ୍ୟ କରିଥିଲେ । ଏବେ ପୁଣି ସାଙ୍ଘାଇ କରୋନାର ସବୁଠାରୁ ଭୟଙ୍କର ସ୍ଥିିତି ଦେଇ ଗତି କରୁଛି । ଏଠାରେ ଦୈନିକ ସଙ୍କ୍ରମଣ ୨୫ ହଜାର ଟପିବା ପରେ ସରକାର କଠୋର ନିୟମ ଲାଗୁ କରିଛନ୍ତି ।