ଗାଁକୁ ରାସ୍ତା ନାହିଁ, ଆସିପାରିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ବୁହାହେଲେ ଗୁରୁତର ରୋଗୀ । ସମ୍ବଲପୁର ଯୁଯୁମରା ବ୍ରାହ୍ମଣୀପାଲ୍ଲି ଗାଁର ଘଟଣା ।

94

କନକ ବ୍ୟୁରୋ: ବର୍ଷା ଦିନେ କାଦୁଅ ରାସ୍ତାରେ ଅନେକ ସମୟରେ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇନପାରି ଅଧା ରାସ୍ତାରେ ଅଟକି ରହିଲା । ଖଟିଆରେ କିମ୍ବା ବାଉଁଶ ଭାରରେ ଗର୍ଭବତୀ କିମ୍ବା ରୋଗୀଙ୍କୁ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଉଥିବାର ଅନେକ ଚିତ୍ର ଆମେ ଆପଣଙ୍କୁ ଦେଖାଇଛୁ । ହେଲେ ଆଜି ଟିକିଏ ଅଲଗା ।

ମାର୍ଚ୍ଚରୁ ଆରମ୍ଭ ହେଲାଣି । ଧୂ ଧୂ ଖରା । ରାସ୍ତା ଘାଟ ସବୁ ସୁଖିଲା ତଥାପି ଗାଁକୁ ଆସିପାରୁନି ଆମ୍ବୁଲାନ୍ସ । ସମ୍ବଲପୁର ଯୁଯୁମରା ବ୍ଲକ ବ୍ରାହ୍ମଣୀପାଲି ଗାଁ । ଗାଁର ସଂଜିତା ଲୁଗୁନ ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସକୁ ଡକା ଯାଇଥିଲା । କିନ୍ତୁ କେଶାପାଲି ପଟରୁ ଆମ୍ବୁଲାନ୍ସ ଆସିଥିବା ବେଳେ ରାସ୍ତା ନଥିବାରୁ ରୋଗୀ ଘରଠାରୁ ୧.୫ କିଲୋମିଟର ଦୂରରେ ଅଟକି ଯାଇଥିଲା ଆମ୍ବୁଲାନ୍ସ । ବିଡମ୍ବନା କେବଳ ଏତିକିରେ ସୀମିତ ନୁହେଁ । ମୋବାଇଲ ନେଟୱର୍କ ନଥିବାରୁ ୧୦୮ କଂଟ୍ରୋଲ ରୁମକୁ ମଧ୍ୟ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ଫଳରେ ରୋଗୀଙ୍କୁ ସଂପର୍କୀୟ ବୋହି ବୋହି ଆମ୍ବୁଲାନ୍ସ ଯାଏ ଆଣିଥିଲେ । ଆମ୍ବୁଲାନ୍ସ କର୍ମଚାରୀ ମଧ୍ୟ ଷ୍ଟ୍ରେଚର ଧରି ଚାଲି ଚାଲି ଆସି ସହଯୋଗର ହାତ ବଢାଇଥିଲେ । ଏବେ ଜିଲ୍ଲା ସଦର ହସ୍ପିଟାଲରେ ରୋଗୀ ସଂଜିତା ସାମାନ୍ୟ ସୁସ୍ଥ ଅଛନ୍ତି । ଗ୍ରାମାଂଚଳର ବିକାଶର କଥା କୁହାଯାଉଥିବା ବେଳେ ପ୍ରକୃତରେ ବିକାଶର ପରିଭାଷା କଣ ଏଇୟା?