ତାମିଲନାଡ଼ୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣା ଘଟଣା : ଦୁର୍ଘଟଣାସ୍ଥଳରୁ ମିଳିଲା ବ୍ଲାକ୍ ବକ୍ସ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ଉପକରଣ

457

କନକ ବ୍ୟୁରୋ : ‘ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌’ ଜେନେରାଲ୍‌ ବିପିନ ରାୱତ୍‌ ଏବଂ ଅନ୍ୟମାନେ ଯାତ୍ରା କରୁଥିବା ଦୁର୍ଘଟଣାଗ୍ରସ୍ତ ବାୟୁସେନା ହେଲିକପ୍ଟର୍‌ର ‘ବ୍ଲାକ୍‌ ବକ୍ସ୍‌’ ଆଜି ସକାଳେ ଉଦ୍ଧାର କରାଯାଇଯାଇଛି । ସେନାର ଉଦ୍ଧାରକାରୀ ୟୁନିଟ୍‌ ଉକ୍ତ ‘ଏମ୍‌ଆଇ-୧୭ଭି୫’ ହେଲିକପ୍ଟର୍‌ର ଭଙ୍ଗାରୁଜା ଅଂଶରୁ ତାହାକୁ ଖୋଜି ବାହାର କରିଛନ୍ତି । ଉଦ୍ଧାର ‌ହୋଇଥିବା ‘ବ୍ଲାକ୍ ବକ୍ସ’ଟିକୁ କପଡ଼ାରେ ଗୁଡ଼ାଇ ସେନା ଗାଡ଼ିରେ ୱେଲିଙ୍ଗ୍‌ଟନ୍‌ ସେଣ୍ଟର୍‌କୁ ନିଆଯାଇଛି। ବିଶ୍ଳେଷଣ ନିମନ୍ତେ ତାହାକୁ ସେଠାରୁ ନୂଆଦିଲ୍ଲୀ କିଂବା ବେଙ୍ଗାଲୁରୁ ପଠାଯିବ । ପ୍ରାପ୍ତ ସୂଚନା ଅନୁସାରେ, ଦୁର୍ଘଟଣାସ୍ଥଳର ୩୦୦ ମିଟର୍‌ ରୁ ୧ କିଲୋମିଟର୍‌ ବ୍ୟାପ୍ତ ଅଞ୍ଚଳ ମଧ୍ୟରେ ବ୍ୟାପକ ତଲାସ କରିବା ପରେ କର୍ତ୍ତୃପକ୍ଷମାନେ ‘ବ୍ଲାକ୍‌ ବକ୍ସ୍‌’ ଉଦ୍ଧାର କରାଯାଇଛି । କେଉଁ କାରଣ ଯୋଗୁଁ ଏଭଳି ବିୟୋଗାନ୍ତ ଘଟଣା ଘଟିଲା ‘ବ୍ଲାକ୍‌ ବକ୍ସ୍‌’ ସେ ସବୁ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମର ତଥ୍ୟ ଯୋଗାଇ ଦେବ ।

ସ୍ଥାନୀୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ୱେଲିଙ୍ଗ୍‌ଟନ୍‌ ଆର୍ମି ସେଣ୍ଟର୍‌ ମଧ୍ୟସ୍ଥ ଜିମ୍‌ଖାନା କ୍ଲବ୍‌ ହେଲିପ୍ୟାଡ୍‌ରେ ଅବତରଣ କରିବାକୁ ଆଉ ମାତ୍ର ୧୦ ମିନିଟ୍‌ ଥିବା ବେଳେ ହେଲିକପ୍ଟର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ବିଷୟରେ ବାୟୁସେନା କୌଣସି କାରଣ ଜଣାଇ ନ ଥିଲେ ବି ଦୁର୍ଘଟଣା ଘଟିଥିବା ଅଞ୍ଚଳର ବାସିନ୍ଦାମାନେ କହୁଛନ୍ତି ଯେ, ମଧ୍ୟାହ୍ନରେ ପାଗ କୁହୁଡ଼ିଆ ଥିବା ବେଳେ ହେଲିକପ୍ଟର୍‌ଟି ତଳ ଆଡ଼କୁ ଖସି ଆସି ଦୁର୍ଘଟଣାଗ୍ରସ୍ତ ହେଲା । ବିମାନ ଦୁର୍ଘଟଣା ବିଷୟରେ ନୀଳଗିରି ଥାନା ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି ଯେ, ଭୂଇଁକୁ ଖସି ପଡ଼ିବା ଆଗରୁ ହେଲିକପ୍ଟର୍‌ଟି ଜନବସତି ଅଞ୍ଚଳର ଖୁବ୍‌ ନିକଟରେ ବିପଜ୍ଜନକ ଭାବେ ତଳୁଆ ଉଡୁଥିଲା । ଉଡ଼ିବା ବେଳେ ନଞ୍ଜପ୍ପଞ୍ଚତିରମ୍‌ ସଂରକ୍ଷିତ ଅରଣ୍ୟର ଗୋଟାଏ ବୃକ୍ଷରେ ପିଟି ହୋଇ ଏହି ଉନ୍ନତ ହେଲିକପ୍ଟର୍‌ଟିରେ ନିଆଁ ଲାଗିଯାଇଥିଲା ।