କନକ ବ୍ୟୁରୋ: ଗରିବ, ଗୃହ ନଥିବା କିମ୍ବା କଚ୍ଚା ଘରେ ରହୁଥିବା ଲୋକଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ ସହାୟତା ରାଶି ପ୍ରଦାନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା, ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା, ଯାହାର ଫାଇଦା ଅନେକ ପରିବାରକୁ ମିଳିଥିବା ବେଳେ ଆହୁରି ଅନେକ ପରିବାର ଏବେ ମଧ୍ୟ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଏପରିକି କିଛି ସ୍ଥାନରେ ଏହି ଯୋଜନାରେ ସାମିଲ କରିବା ପାଇଁ ସରକାରୀ ଅଧିକାରୀ ମାନେ ଲାଞ୍ଚ ମାଗୁଥିବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି । ଆଉ ଏଭଳି ସ୍ଥଳେ ଏହି ଯୋଜନାର ଲାଭ ପାଇବା ପାଇଁ ଯୋଗ୍ୟତା କଣ, ହିତାଧିକାରୀ ଭାବେ ତାଲିକାରେ ନାଁ ରହିଛି କି ନାହିଁ, କେତେ ଟଙ୍କାର ଆର୍ଥିକ ସହାୟତା ମିଳିବ ସେ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି ।

Advertisment

ଯୋଗ୍ୟତା :
- ଏସଇସିସି-୨୦୧୧ ତାଲିକାକୁ ଭିତ୍ତି କରି ପ୍ରସ୍ତୁତ ହୋଇଥିବା ଅଗ୍ରାଧିକାର ତାଲିକାରେ ସ୍ଥାନ ପାଇ ଗୃହ ନଥିବା କିମ୍ବା କଚ୍ଚା ଘରେ ରହୁଥିବା ପରିବାର ଉଭୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ସାମିଲ ହୋଇପାରିବେ ।
- ସେହିଭଳି ନିର୍ମାଣ ଶ୍ରମିକ ରୂପେ ଅନ୍ୟୁନ ୧ ବର୍ଷ ପଞ୍ଜୀକରଣ ହୋଇଥିବା ଓ ଗୃହ ନଥିବା କିମ୍ବା କଚ୍ଚା ଘରେ ରହୁଥିବା ପରିବାର ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ସାମିଲ ହୋଇପାରିବେ ।

କାହା ସହ ଯୋଗାଯୋଗ କରିବେ :
- ହିତାଧିକାରୀଙ୍କ ତାଲିକା ବ୍ଲକ,ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନିକଟରେ ଉପଲବ୍ଧ ।
- ହିତାଧିକାରୀଙ୍କ ତାଲିକାରେ ସ୍ଥାନ ପାଇ ମଧ୍ୟ ଗୃହ ପାଇନଥିଲେ ତାହାର କାରଣ ଜାଣିବା ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ କିମ୍ବା ବିଡିଓଙ୍କୁ ପଚାରିପାରିବେ ।
- ନିର୍ମାଣ ଶ୍ରମିକ ମଧ୍ୟ ସମାନ ଢଙ୍ଗରେ ହିତାଧିକାରୀ ତାଲିକାରେ ନାଁ ଅଛି କି ନାହିଁ ଜାଣିପାରିବେ ।

ପ୍ରମାଣପତ୍ର :
- ବ୍ୟାଙ୍କ ଖାତା, ଆଧାର କାର୍ଡ, ଭୋଟ ପରିଚୟ ପତ୍ର, ମନେରଗା କାର୍ଯ୍ୟ ପତ୍ରର ନକଲ
- ଗୃହ ନିର୍ମାଣ ସ୍ଥାନର ପଟ୍ଟା ଓ କବଲାର ନକଲ

ହିତାଧିକାରୀଙ୍କୁ ମିଳିବ କଣ?
- ଗୃହ ନିର୍ମାଣ ବାବଦକୁ ୪ଟି କିସ୍ତିରେ ୧,୩୦,୦୦୦ ଟଙ୍କାର ଆର୍ଥିକ ସହାୟତା
- ଗୃହ ନିର୍ମାଣ ବାବଦକୁ ୯୫ ଦିନର ମଜୁରି
- ପାଇଖାନା ନିର୍ମାଣ ବାବଦକୁ ୧୨ ହଜାର ଟଙ୍କା
- ସୋକ୍ ପିଟ୍ ନିର୍ମାଣ ବାବଦକୁ ୫,୬୦୦ ଟଙ୍କା
- ଜିଆ ଖତ କୁଣ୍ଡ ନିର୍ମାଣ ବାବଦକୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା

ଏହାଛଡା ପ୍ରଥମ କିସ୍ତି ପାଇବାର ୪ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କଲେ ଅତିରିକ୍ତ ୨୦ ହଜାର ଓ ୬ ମାସ ମଧ୍ୟରେ ଶେଷ କଲେ ଅତିରିକ୍ତ ୧୦ ହଜାର ଟଙ୍କାର ସହାୟତା ରାଶି ହିତାଧିକାରୀ ପାଇବେ । ତେବେ ସରକାରୀ ଯୋଜନା ଯୋଗାଇଦେବା ବଦଳରେ ଯଦି କୌଣସି ସରକାରୀ କର୍ମଚାରୀ ଲାଞ୍ଚ ମାଗନ୍ତି ତେବେ ସ୍ଥାନୀୟ ବିଡିଓଙ୍କୁ ଜଣାଇ ପାରିବେ ।