ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ : ଆଜି ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ; ଆସନ୍ତାକାଲି ନେବ ବାତ୍ୟାର ରୁପ

439

କନକ ବ୍ୟୁରୋ : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେବ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୪ ତାରିଖରେ ବାତ୍ୟାର ରୂପ ନେବା ପରେ ‘ୟାସ’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ । ହେଲେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍ କରିବ ସେନେଇ କୈାଣସି ସ୍ପଷ୍ଟ ତଥ୍ୟ ଦେଇନାହିଁ ଆଇଏମଡି । ଓଡିଶାର ମାତ୍ର ଦୁଇଟି ଜିଲ୍ଲା ଉପରେ ଏହାର ପ୍ରଭାବ ବିଶେଷ ଭାବେ ଅନୁଭୁତ ହେବ ବୋଲି କୁହାଯାଉଛି ।

ଓଡିଶାର ଦୁଇଟି ଜିଲ୍ଲା ଅର୍ଥାତ୍ ବାଲେଶ୍ୱର ଓ ଭଦ୍ରକ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ଅନୁଭୁତ ହେବ ବୋଲି ଅନୁମାନ କରାଯାଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୨୪ ସନ୍ଧ୍ୟା ବେଳକୁ ଓଡିଶା ଉପକୂଳରେ ପବନର ବେଗ ରହିବ ଘଂଟାପ୍ରତି ୪୦ ରୁ ୫୦ କିମି ସର୍ବାଧିକ ୬୦ କିମି ରହିବ । ଯାହା ୨୬ ତାରିଖ ଅପରାହ୍ନ ବେଳକୁ ସର୍ବାଧିକ ୧୧୦ କିମି ବେଗରେ ବହିବ ନେଇ ଆକଳନ କରାଯାଉଛି । ଆସନ୍ତା ୨୫ ତାରିଖ ସକାଳୁ ଉପକୁଳ ଏବଂ ଉତ୍ତର ଓଡିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଓ ମୟୁରଭଂଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୬ ତାରିଖ ସକାଳୁ ପରବର୍ତ୍ତୀ ୨୪ ଘଂଟା ପାଇଁ ୮ଟି ଜିଲ୍ଲାରେ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।