ଭୁବନେଶ୍ୱରରେ ମାତିଛନ୍ତି ଅପରାଧୀ : ହାଣୁଛନ୍ତି, ଲୁଟୁଛନ୍ତି, ଆତଙ୍କ ଖେଳାଉଛନ୍ତି ।

101

କନକ ବ୍ୟୁରୋ : ରାଜଧାନୀର ପାଦେ ପାଦେ ମାତିଛନ୍ତି ଅପରାଧୀ, ଲୁଟେରା। ଯାହାକୁ ପାଉଛନ୍ତି ଲୁଟୁଛନ୍ତି, ଆକ୍ରମଣ କରି ଲହୁଲୁହାଣ କରୁଛନ୍ତି। ପ୍ରତିଦିନ କେଉଁଠି ନା କେଉଁଠି ଆତଙ୍କ ଖେଳାଇ ଚାଲିଛନ୍ତି। ଭୋର ହେଉ କି ମଧ୍ୟାହ୍ନ, ଅପରାହ୍ନ, ରାତି ସବୁବେଳେ ସବୁ ଜାଗା ଅସୁରକ୍ଷିତ ପାଲଟି ଯାଇଛି। ଅପରାଧୀଙ୍କ କବଜାକୁ ଚାଲିଯାଇଛି ରାଜଧାନୀ ଭୁବନେଶ୍ୱର। ରାତିରେ ରାଜରାସ୍ତାରେ ଗୋଟିଏ ବି ପିସିଆର ଭ୍ୟାନ୍ ଦେଖିବାକୁ ମିଳୁ ନାହିଁ। ବିଶେଷକରି ଭୋର୍‌ ସମୟରେ ଅଧିକ ରକ୍ତମୁଖା ହୋଇ ଯାଉଛନ୍ତି। ଭୋରରୁ ଯାଉଥିବା ଆମିଷ ବେପାରୀ, ଖବର କାଗଜ ବିତରକଙ୍କୁ ଟାର୍ଗେଟ କରୁଛନ୍ତି ଅପରାଧୀ। ହାଣିବା ସହ ଲୁଟପାଟ୍ କରୁଥିବା ଗ୍ୟାଙ୍ଗ ସପ୍ତାହେ ଧରି ଆତଙ୍କ ଖେଳାଇ ଚାଲିଥିବା ବେଳେ ପୁଲିସ ସେମାନଙ୍କ ଟେର୍ ପାଇବାରେ ବିଫଳ ହୋଇଛି। ପୂରା ରାଜଧାନୀରେ ରାଜ୍ କରୁଛନ୍ତି ଅପରାଧୀ। କମିସନରେଟ୍ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନଚିହ୍ନ ଲାଗିଛି।

ଆତଙ୍କ ଖେଳାଉଛନ୍ତି ବ୍ରାଉନ୍‌ସୁଗାର ସେବନକାରୀ?
ଯୁଆଡ଼େ ଚାହିଁବ ସିଆଡ଼େ ଅପରାଧୀଙ୍କ ଆତଙ୍କ। ମହିଳା, ବେପାରୀ, ଖବରକାଗଜ ବିତରକ, ଛୋଟ ଛୋଟ ଦୋକାନୀ କେହି ବାଦ୍ ପଡ଼ୁ ନାହାନ୍ତି। କିଏ ଏହି ଛୋଟ ଛୋଟ ବେପାରୀ, ଖବରକାଗଜ ବିତରକ, ମାଛ ବେପାରୀଙ୍କୁ ଟାର୍ଗେଟ୍ କରୁଛନ୍ତି? କାହିଁକି ଅଳ୍ପ କେଇ ଟଙ୍କା ପାଇଁ ସେମାନଙ୍କୁ ହାଣୁଛନ୍ତି, ମରଣାନ୍ତକ ଆକ୍ରମଣ କରୁଛନ୍ତି? ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବ୍ରାଉନ୍‌ସୁଗାର ସେବନକାରୀ ଅସାମାଜିକମାନେ ରାତି ତମାମ୍ ରାଜଧାନୀରେ ବୁଲୁଛନ୍ତି। ଭୋର୍‌ ସମୟରେ ଯାଉଥିବା ବିତରକ, ମାଛ ବେପାରୀ, ଅଟୋ ଚାଳକଙ୍କୁ ଟାର୍ଗେଟ୍ କରୁଛନ୍ତି। ବେପାର ପାଇଁ ମାତ୍ର ହଜାରେ, ଦୁଇ ହଜାର ଟଙ୍କା ସାଙ୍ଗରେ ନେଇ ଯାଉଥିବା ବେପାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟି ନେଉଛନ୍ତି। ସବୁ ଅସୁରକ୍ଷିତ ହୋଇପଡ଼ିଛି। ବିଭିନ୍ନ ବସ୍ତି ଅଞ୍ଚଳରେ ବ୍ରାଉନସୁଗାର ସେବନ କରୁଥିବା ନିଶାଡ଼ିମାନେ ଏବେ ରାଜଧାନୀରେ ଆତଙ୍କ ଖେଳାଇ ଚାଲିଛନ୍ତି।

କର୍ମଜୀବୀ ଭୟଭୀତ, ଅସାମାଜିକ ବେଫିକର୍‌
ରାତିରେ କାମ ସାରି ଫେରୁଥିବା କର୍ମଜୀବୀମାନେ ଭୟଭୀତ ହୋଇ ପଡ଼ିଛନ୍ତି। କିଲୋମିଟର କିଲୋମିଟର ରାସ୍ତାରେ ଅସାମାଜିକ, ଅପରାଧୀ ଆତଙ୍କ ଖେଳାଇ ବୁଲୁଛନ୍ତି। କର୍କଶ ଶବ୍ଦରେ ମୋଟର ସାଇକେଲ ସାଇଲେନ୍ସର ଫାଟି ପଡ଼ୁଥିବା ବେଳେ ମଦ ସିଗାରେଟ୍ ଧରି ଜୋରରେ ପାଟି କରି ଗାଳିଗୁଲଜ କରୁଛନ୍ତି। କଟକରୋଡ୍ ହେଉ କି ଜନପଥ, ପୋଖରୀପୁଟ-ଜାଗମରା ରାସ୍ତା, ଖଣ୍ଡଗିରି, ଜୟଦେବ ବିହାର-ପଟିଆ ରାସ୍ତା ସବୁଠି ସମାନ ଅବସ୍ଥା। ଗତ କିଛି ଦିନ ତଳେ ଜଣେ କର୍ମଜୀବୀ ଯୁବତୀଙ୍କୁ ରସୁଲଗଡ଼ ଛକରେ ରାସ୍ତାରେ ଗଡ଼ାଇ ତଡ଼ାଇ ରକ୍ତାକ୍ତ ଆକ୍ରମଣ ସହ ଅସଦାଚରଣ ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା।

ମାଷ୍ଟରକ୍ୟାଣ୍ଟିନରେ ମାଳମାଳ ଅପରାଧୀ
କ୍ୟାପିଟାଲ, ଖାରବେଳନଗର, ଜିଆରପି ଥାନା ସୀମାରେଖାରେ ଆସୁଥିବା ରାଜଧାନୀର ବ୍ୟସ୍ତବହୁଳ, ଜନଗହଳିପୂର୍ଣ୍ଣ ଅଞ୍ଚଳ ଏବେ ସବୁଠୁ ଅସୁରକ୍ଷିତ ପାଲଟି ଯାଇଛି। ସେହି ଅଞ୍ଚଳରେ ବୁଲୁଛନ୍ତି ମାଳମାଳ ଅପରାଧୀ। କେତେବେଳେ କାହାକୁ ଲୁଟ୍ କରିବେ ଛକି ରହୁଛନ୍ତି। ସୁଯୋଗର ଫାଇଦା ଉଠାଇ ଲୁଟପାଟ୍ କରୁଛନ୍ତି। ଚେନ୍ ଲୁଟ୍, ଯାତ୍ରୀଙ୍କ ଠାରୁ ଲୁଟପାଟ୍ କରି ଆତଙ୍କ ଖେଳାଉଛନ୍ତି। ଏପରିକି ଆକ୍ରମଣ ମଧ୍ୟ କରିଥିବା ନଜିର୍ ଆସୁଛି। ସେହି ଅଞ୍ଚଳରେ ଲୁଟପାଟ୍ ନ କରିପାରିଲେ ମଧ୍ୟ ପିଛା କରି ଲୁଟପାଟ୍ କରୁଥିବା ଜଣାପଡ଼ିଛି।

ଗତ ସପ୍ତାହ ମଧ୍ୟରେ ଘଟିଥିବା କିଛି ଅପରାଧ
୨୩/୧୧: ଟଙ୍କପାଣି ରୋଡ୍ ଜଗନ୍ନାଥ ଆଶ୍ରମ ନିକଟରେ ଖବରକାଗଜ ବିତରକ ଅଶୋକ ପଣ୍ଡାଙ୍କୁ ହାଣି ଟଙ୍କା, ମୋବାଇଲ ଫୋନ୍ ଲୁଟ୍।
୨୭/୧୧: ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀଙ୍କ ପତ୍ନୀ ସସ୍ମିତା ପାଣିଙ୍କ ବେକରୁ ସୁନାଚେନ୍ ଲୁଟ୍।
୨୭/୧୧: ମାଷ୍ଟରକ୍ୟାଣ୍ଟିନରୁ କଳ୍ପନା ଯାଉଥିବା ବେଳେ ରାଜମହଲ ଛକ ନିକଟରେ କ୍ୟାବ୍ ଡ୍ରାଇଭର ରାକେଶ କୁମାର ମହାପାତ୍ରଙ୍କୁ ମାରଣାସ୍ତ୍ରରେ ହାଣି ଦୁଇ ମୋବାଇଲ ଫୋନ୍ ଲୁଟ୍।
୨୮/୧୧: ମ୍ୟୁଜିୟମ ଛକରେ ଅଟୋରେ ମାଛ ନେଇ ଏକ ହୋଟେଲକୁ ଯାଉଥିବା ବେଳେ ଚାଳକ ସଞ୍ଜୟ ବଳବନ୍ତରାୟଙ୍କୁ ହାଣି ୨୮୦୦ ଟଙ୍କା ଲୁଟ୍।
୨୮/୧୧: ମାଷ୍ଟରକ୍ୟାଣ୍ଟିନ-ପିଏମ୍‌ଜି ରାସ୍ତାରେ ସ୍ବାମୀଙ୍କ ସହ ଗାଡ଼ିରେ ଯାଉଥିବା ମହିଳା ମିତାରାଣୀ ବେହେରାଙ୍କ ବେକରୁ ସୁନାଚେନ୍ ଲୁଟ୍। ଗାଡ଼ିରୁ ପଡ଼ି ମିତାରାଣୀଙ୍କ ମୁଣ୍ଡ ଫାଟି ଯାଇଥିଲା।
୨୯/୧୧: ଟଙ୍କପାଣି ବ୍ରିଜ୍ ଉପରେ ଛେଳି, ମେଣ୍ଢା ବ୍ୟବସାୟୀ ଅହମ୍ମଦ ଖାଁଙ୍କୁ ସାଂଘାତିକ ଭାବେ ହାଣି ୫୦ ହଜାର ଟଙ୍କା ଲୁଟ୍ କରିଥିଲେ ୩ ଦୁର୍ବୃତ୍ତ।
୨୯/୧୧: ରମାଦେବୀ ବିଶ୍ବବିଦ୍ୟାଳୟ ସମ୍ମୁଖ ପେଟ୍ରୋଲ ପମ୍ପ ନିକଟରେ ଖବରକାଗଜ ବିତରକ ମୀନକେତନ ଦାସଙ୍କୁ ଗୁରୁତର ଭାବେ ହାଣି ଲୁଟ୍ ଉଦ୍ୟମ।