ପରୀ ହତ୍ୟା ମାମଲାକୁ ନେଇ ଦିନ ତମାମ ବନ୍ଦ ରହିଲା ବିଧାନସଭା । ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଅଡି ରହିଲେ ବିରୋଧୀ । ମନ୍ତ୍ରୀ କହିଲେ, ଘଟଣାକୁ ନେଇ କରାନଯାଉ ରାଜନୀତି, ଦୋଷୀ ଯିଏ ଥିବ ଦଣ୍ଡ ପାଇବ । 

240

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଗୃହରେ ବିବୃତି ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ପରୀ ମୃତ୍ୟୁ ପ୍ରସଙ୍ଗରେ ଅଭିଯୁକ୍ତ ବାବୁଲି ନାୟକକୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ କରି ଆଜି ବିରୋଧୀ ତାଙ୍କର ଇସ୍ତଫା ଦାବି କରିଥିଲେ । ଗୃହରେ ଉତ୍ତର ରଖି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଯିଏ ଦୋଷ କରିଥିବ ସେ ନିଶ୍ଚୟ ଦଣ୍ଡ ପାଇବ, ଏହାକୁ ନେଇ ରାଜନୀତି କରାନଯାଉ ।

ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ନେଇ ମନ୍ତ୍ରୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ ବିରୋଧି ଇସ୍ତଫା ଦାବି କରିବା ପରେ ଏ ଥିଲା ମନ୍ତ୍ରୀ ଅରୁଣ ସାହୁଙ୍କ ବିବୃତି । କିନ୍ତୁ ବିରୋଧି ଆକ୍ରମଣ ମୁଡରେ ଥିଲେ । କୌଣସି କଥା ତାଙ୍କୁ ସନ୍ତୁଷ୍ଟ କରୁନଥିଲା ।

୪ମାସ ତଳେ ଜୁଲାଇ ୧୪ ତାରିଖରେ ଏହି ନୀରିହ ୫ବର୍ଷର ଝିଅକୁ ହତ୍ୟା କରି ଏକ ଅଖା ଭିତରେ ଭର୍ତି କରି ଫୋପାଡି ଦିଆଯାଇଥିଲା । କିନ୍ତୁ ନୟାଗଡ ପୋଲିସ ୪ମାସ ପରେ ବି ଦୋଷୀ ପାଖରେ ପହଂଚିପାରିଲା ନାହିଁ କିମ୍ବା ହତ୍ୟାର କାରଣ ସମ୍ପର୍କରେ ବି କୌଣସି ସୁରାଗ ପାଇଲା ନାହିଁ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ସେପଟେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛି ଭାରତୀୟ ବିକାଶ ପରିଷଦ । ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଅନୁରୋଧ କରାଯିବା ସହିତ ପୀଡ଼ିତ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆବେଦନରେ ଦର୍ଶାଯାଇଛି ।