କନକ ବ୍ୟୁରୋ: ଏଟିଏମ୍ ଲୁଟ୍ ପାଇଁ ୭ ବର୍ଷ ସଜା! ସଂଗଠିତ ଅପରାଧ ଭାବେ ଗଣାଯିବ ଏଟିଏମ୍ ଲୁଟ୍ । ଯେଉଁ ଅପରାଧ ପୂର୍ବରୁ ସ୍ୱତନ୍ତ୍ର ବିଚାର ବ୍ୟବସ୍ଥା ନଥିଲା, ଭାରତୀୟ ନ୍ୟାୟ ସଂହିତା ବିଧେୟକ ୨୦୨୩ରେ ଏ ସବୁ ଅପରାଧ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି । ପୂର୍ବରୁ ଏଟିଏମ୍ ଲୁଟ୍ ପରି ଅପରାଧ ପାଇଁ ଆଇପିସିରେ କୌଣସି ସ୍ୱତନ୍ତ୍ର ଧାରା ନଥିଲା । ଧାରା ୩୭୮ ଅନୁସାରେ ଏହାକୁ ଚୋରି ଅପରାଧ ଭାବେ ବିଚାର କରାଯାଉଥିଲା । ଏବେ ନୂଆ ଆଇନରେ ୧ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିବ । ଆଇପିସି ବଦଳରେ ଲାଗିବ ଭାରତୀୟ ନ୍ୟାୟ ସଂହିତା ବା ବିଏନଏସ୍-ଧାରା ୧୧୦ ।

Advertisment

ଅନେକ ଅପରାଧ ପୂର୍ବରୁ ସଂଗଠିତ ଅପରାଧ ଭାବେ ଗଣାଯାଉନଥିଲା । ଆଇପିସିର ଭିନ୍ନ ଭିନ୍ନ ଧାରାରେ ଏସବୁର ବିଚାର କରାଯାଉଥିଲା । ଏହି ସମସ୍ୟା ସମାଧାନ ନୂଆ ଆଇନରେ ବ୍ୟବସ୍ଥା କରାଯାଇଛି ।
ନୂଆ ବିଧେୟକରେ କଠୋର ଦଣ୍ଡ
- ଏଟିଏମ୍ ଲୁଟ୍
- ଡେବିଟ୍ ଓ କ୍ରେଡିଟ୍ କାର୍ଡ ଜରିଆରେ ବେଆଇନ ଟଙ୍କା ଉଠାଣ
- ଗାଡ଼ି ଚୋରି ବା ଗାଡ଼ିରୁ ସାମଗ୍ରୀ ଚୋରି
- ଘରୋଇ ଓ ବ୍ୟବସାୟିକ ଚୋରି
- ପକେଟ୍ ମାର, ଛିନ୍ତାଇ କରିବା
- ଦୋକାନରୁ ଚୋରି କରିବା
- ସରକାରୀ ଯାନବାହନରେ ଅଧିକ ଭଡ଼ା ଆଦାୟ
- ଟିକେଟ୍ କଳାବଜାରୀ
- ପ୍ରଶ୍ନପତ୍ର ଲିକ୍

ଏଭଳି ଅପରାଧ ଏବେ ବଢ଼ିଚାଲିଛି । ସମୟ ବଦଳିବା ସହିତ ଅପରାଧର ସଂଜ୍ଞା ବଦଳି ଯାଇଛି । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଧାରାରେ ଦଣ୍ଡବିଧାନ ବ୍ୟବସ୍ଥା କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସଂସଦରେ ଆଗତ ହୋଇଥିବା ବିଲ୍ ଆଇନରେ ପରିଣତ ହେଲେ ନୂଆ ଅପରାଧର ବିଚାର ସହଜ ହେବ । ପ୍ରଶ୍ନପତ୍ର ଲିକ୍ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏଭଳି ଅପରାଧ, ଏଣିକି ସଂଗଠିତ ଅପରାଧ ଭାବେ ଗଣାଯିବ । ପ୍ରଶ୍ନପତ୍ର ଲିକ୍ ଭଳି ମାମଲାର ବିଚାର ପାଇଁ ପୂର୍ବରୁ ସ୍ୱତନ୍ତ୍ର ଧାରା ନଥିଲା । ଭାରତୀୟ ନ୍ୟାୟ ସଂହିତା ବିଲରେ ଏ ନେଇ ବ୍ୟବସ୍ଥା ରହିଛି ।

୧୬୩ ବର୍ଷର ତଳର ଆଇନରେ ବର୍ତମାନ ଘଟୁଥିବା ଅପରାଧର ବିଚାର ପାଇଁ ଧାରା ନଥିଲା । ତେଣୁ ଆଇପିସି, ସିଆରପିସି ଭଳି ବ୍ରିଟିଶ ଅମଳର ଆଇନକୁ ବଦଳାଇ ଭାରତୀୟ ଦଣ୍ଡବିଧାନ ବ୍ୟବସ୍ଥାରେ ବଡ଼ ପରିବର୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଟିଏମ୍ ଲୁଟ୍, ସାଇବର କ୍ରାଇମ୍, ପ୍ରଶ୍ନପତ୍ର ଲିକ୍ ଭଳି ଅନେକ ଅପରାଧ ପାଇଁ ପୁରୁଣା ଆଇନ ବ୍ୟବସ୍ଥାରେ ସ୍ୱତନ୍ତ୍ର ଦଣ୍ଡବିଧାନ ନଥିଲା । ନୂଆ ବିଧେୟକରେ ଏହାକୁ ସଂଗଠିତ ଅପରାଧ ଭାବେ ଅନ୍ତର୍ଭୁକ୍ତ କରାଯାଇ କଠୋର ଦଣ୍ଡବିଧାନ କରାଯାଇଛି ।