କନକ ବ୍ୟୁରୋ : ସଂଜୟଙ୍କ ସହଯୋଗୀଙ୍କ ମୃତ୍ୟୁ ରହସ୍ୟର ପରଦା ହଟାଇବ କ୍ରାଇମବ୍ରାଞ୍ଚ । ଡିଜିପିଙ୍କ ନିର୍ଦ୍ଦେଶ ପରେ ଗଠନ ହୋଇଛି ୪ ଜଣିଆ ଟିମ୍ । କଲ ଡିଟେଲସ ରେକର୍ଡ ଆଧାରରେ ଚିତରଂଜନଙ୍କ ମୃତ୍ୟୁର ମୂଳରେ ପହଞ୍ଚିବାକୁ ଆରମ୍ଭ ହୋଇଛି ଚେଷ୍ଟା । ସେପଟେ ଜଗନ୍ନାଥ ବାରମ୍ବାର ବୟାନ ବଦଳାଇବା ତଦନ୍ତକୁ ଭିନ୍ନ ଦିଗ ଦେଇ ଚାଲିଛି । ସତରେ ନିଶାରେ ସେ କିଛି ଜାଣିପାରିନଥିଲା ନା ପୁଲିସକୁ କିଛି କଥା ଲୁଚାଉଛି ତାକୁ ନେଇ ଚର୍ଚ୍ଚା ବଢିଛି ।

Advertisment

କେମିତି ହେଲା ଚିତରଞ୍ଜନଙ୍କ ମୃତ୍ୟୁ? କାରଣ ଖୋଜିବ କ୍ରାଇମବ୍ରାଞ୍ଚ ? ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତରଞ୍ଜନ ପଲେଇଙ୍କର ମୃତ୍ୟୁକୁ ନେଇ ରହସ୍ୟ ବଢ଼ୁଥିବାବେଳେ, କେମିତି ହେଲା ମୃତ୍ୟୁ? କାରଣ ଖୋଜିବା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଡିଜିପିଙ୍କ ନିର୍ଦ୍ଦେଶ ପରେ ଗଠନ ହୋଇଥିବା ୫ଜଣିଆ ଟିମ୍ ତଦନ୍ତ ପାଇଁ ପୁରୀ ଯାଇଛନ୍ତି । ଯେଉଁଠୁ ଚିତରଞ୍ଜନଙ୍କ ମୃତ ଦେହ ମିଳିଥିଲା, ଯେଉଁଠି ସେଦିନ ଭୋଜି କରିଥିଲେ ସବୁ ସ୍ଥାନକୁ ଯାଇ ତଦନ୍ତ କରିବ ଏହି ଟିମ୍ । ଏଥିସହ ଯେଉଁମାନେ ସନ୍ଦେହ ଘେରରେ ଅଛନ୍ତି ସମସ୍ତଙ୍କୁ ପଚରାଉଚୁରା କରିବେ ।

ପୋଲିସ ଖୋଜୁଛି ଚିତରଞ୍ଜନଙ୍କ ଫୋନ କଲ ? ଫୋନ କଲ ଡିଟେଲ୍ସ ଖୋଲିପାରେ ମୃତ୍ୟୁ ରହସ୍ୟ ? ଚିତରଞ୍ଜନଙ୍କର ମୃତ୍ୟୁ ମାମଲାରେ ସନ୍ଦେହ ଘେରରେ ଥିବା ଜଗନ୍ନାଥ ବାରମ୍ବାର ବୟାନ ବଦଳାଉଥିବାରୁ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ନା ହତ୍ୟାକାଣ୍ଡ ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିିିଛି । ତେଣୁ ମୃତ୍ୟୁ ପୂର୍ବରୁ ଚିତରଞ୍ଜନ କାହାକୁ ଫୋନ କରିଥିଲେ? ତାଙ୍କୁ କିଏ ଫୋନ କରିଥିଲା? ଶେଷ କଲ ସମୟରେ ଚିତରଞ୍ଜନ କେଉଁ ସ୍ଥାନରେ ଥିଲେ? ଏମିତି ଅନେକ ପ୍ରଶ୍ନର ଉତ୍ତର ପାଇବା ପାଇଁ ଫୋନ କଲ ଡିଟେଲ୍ସ ଖୋଜୁଛି ପୋଲିସ । ଫୋନ କଲର ଡିଟେଲ୍ସ ମିଳିଗଲେ ଅନେକ ରହସ୍ୟ ପଦାକୁ ଆସିବ ବୋଲି ଅନୁମାନ କରୁଛି ପୋଲିସ ।

ଚିତରଞ୍ଜନଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିବାବେଳେ ଏହାକୁ ବ୍ରହ୍ମଗିରିବାସୀ ଓ ମୃତକଙ୍କ ପରିବାର କେମିତି ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ବିଜେପି କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା କରିପାରିନି । ସଞ୍ଜୟ ଦାସବର୍ମାଙ୍କ ପିଏସଓ ମଧ୍ୟ ପୋଲିସ ସ୍କାନରରେ ଥିବା ସୂଚନା ମିଳିଛି । ଏବଂ ତାଙ୍କୁ ପୋଲିସ ପଚରାଉଚୁରା କରିଥିବାବେଳେ କ୍ରାଇମବ୍ରାଂଚ ଟିମ୍ ମଧ୍ୟ ପଚରାଉଚୁରା କରିବାର ସମ୍ଭାବନା ରହିଛି । ତେବେ ଚିତରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ କେବେ ପରଦା ଉଠୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।