କନକ ବ୍ୟୁରୋ : ଓଡ଼ିଶାରେ ବଢ଼ୁଛି ନିଶା କାରବାର, ଯୁବପିଢ଼ିଙ୍କୁ ନିଜ କବଳକୁ ନେଉଛି ନିଶା । ମଦ, ଗଞ୍ଜେଇ, ଡ୍ରଗ୍ସ ଭଳି ନିଶାରେ ବୁଡ଼ି ରହୁଛନ୍ତି ଯୁବପିଢ଼ି । ଖାସ୍ କରି ଛୋଟ ଛୋଟ ପିଲା ଡ୍ରଗ୍ସ ଭଳି ନିଶାରେ ବୁଡ଼ି ନିଜ ଜୀବନ ବରବାଦ କରୁଛନ୍ତି । ଗତ ପାଞ୍ଚ ବର୍ଷ ମଧ୍ୟରେ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତିଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ରିପୋର୍ଟ ଚିନ୍ତା ବଢ଼ାଇଛି ।
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଗତ ବର୍ଷ କେବଳ ୪୮,୩୦୬ ଜଣ ଯୁବକଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହା ୨୦୨୦ ମସିହାରେ ୨୪,୪୯୭ ଜଣ ଯୁବକ ଭର୍ତ୍ତି ହୋଇଥିଲେ । ୨୦୨୦ ଓ ୨୦୨୪ ରିପୋର୍ଟକୁ ଦେଖିଲେ ଜଣାପଡ଼ୁଛି କେତେ ମାତ୍ରାରେ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ସଂଖ୍ୟା ବଢ଼ିଛି । ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଯୁବକଙ୍କ ମଧ୍ୟରୁ ଅଧିକାଂଶ ୧୮ ରୁ ୩୦ ବର୍ଷ ବୟସ ବର୍ଗର । ନିଶା ମୁଖ୍ୟତଃ ବ୍ରାଉନ ସୁଗାର, ଗଞ୍ଜେଇ, ମଦ୍ୟପାନ ଏବଂ ନିଶାଦ୍ରବ୍ୟ ବ୍ୟବହାର ସହିତ ଜଡିତ ।
ମିଳିଥିବା ଏକ ରିପୋର୍ଟ ଆଧାରରେ, ସାଲିଆ ସାହିରେ ବ୍ରାଉନସୁଗାର କାରବାର ଜୋରସୋରରେ ଚାଲିଛି । ବାହାର ରାଜ୍ୟରୁ ବ୍ରାଉନସୁଗାର ଆସି ରାଜଧାନୀରେ ବିକ୍ରି ହେଉଛି । ଯୁବଗୋଷ୍ଠୀଙ୍କୁ ହାତପାହାନ୍ତାରେ ମିଳିଯାଉଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, କେଉଁଠି ବ୍ରାଉନସୁଗାର ମିଳିବ, କିଏ ଦେବ ଏ ସବୁ ଖବର ନିଶା ଖାଉଥିବା ପିଲାଙ୍କୁ ଜଣାପଡ଼ିଯାଉଛି । କିନ୍ତୁ ପୁଲିସକୁ କେମିତି ଖବର ମିଳୁନି... ନିଶା କବଳକୁ ଯୁବପିଢ଼ି ଠେଲିହୋଇଯାଉଥିବା ବେଳେ ପୁଲିସ ହାତ ଖାଲି ପଡ଼ିଛି । ବାହାର ରାଜ୍ୟରୁ ନିଶା ଆସି ରାଜଧାନୀରେ ପହଞ୍ଚିଯାଉଛି କିନ୍ତୁ ପୁଲିସ ଟେର୍ ପାଉନି । ପୁଲିସ ଆଖିରେ ଧୂଳି ଦେଇ କେମିତି ନିଶା କାରବାର ହେଉଛି ? କେଉଁ ଗଳାବାଟ ଦେଇ ରାଜ୍ୟରୁ ରାଜ୍ୟ, ସହରଠୁ ସହର ପହଞ୍ଚୁଛି ବ୍ରାଉନସୁଗାର? ପୁଲିସ ସତରେ କିଛି ଜାଣିପାରୁନି ନା ପୁଲିସ ସବୁ ଜାଣି ଆଖି ବୁଜିଦେଇଛି ? ଏନେଇ ସାଧାରଣରେ ପ୍ରଶ୍ନ ଉଠିଛି ।