କନକ ବ୍ୟୁରୋ: ଅସଦାଚରଣଓ ଯୌନ ଶୋଷଣ ଅଭିଯୋଗରେ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ଜଣେ ଅଧ୍ୟାପକଙ୍କୁ ରାଜନୈତିକ ଚାପରେ ପୁନଃନିଯୁକ୍ତି ମିଳିଥିବାରୁ ଚିତାଳୋ ଡିଗ୍ରି ମହାବିଦ୍ୟାଳୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଯାଜପୁର ସହର ଉପକଣ୍ଠରେ ଥିବା ଚିତାଳୋ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ନିରଞ୍ଜନ ପଣ୍ଡାଙ୍କ ନାମରେ ଏଭଳି ଅଭିଯୋଗ ରହିଛି । ୨୦୨୧ରେ ସେ ଛାତ୍ରମାନଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ପୁଲିସ ଯାଜପୁର ଥାନା କେସ୍ ନମ୍ବର ୩୧୧ ରୁଜୁ କରି ୩୦.୦୮.୨୦୨୧ରେ ତାଙ୍କୁ କୋର୍ଟଚାଲାଣ କରିଥିଲା ।
ସେହିପରି ମହାବିଦ୍ୟାଳୟର ଜଣେ କର୍ମଚାରୀଙ୍କ ଜାତିକୁ ନେଇ ଆକ୍ଷେପ ଓ ଗାଳିଗୁଲଜ କରିବା ଅଭିଯୋଗରେ ଯାଜପୁର ଥାନାରେ ମାମଲା ରୁଜୁ ହୋଇଛି ଏବଂ ୨୦୨୨ ମାର୍ଚ୍ଚ ୧୫ରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଏହି ମାମଲା ଯାଜପୁର ଜିଲ୍ଲା ଦୌରା ଜଜ୍ କୋର୍ଟରେ ବିଚାରାଧୀନ ରହିଛି । ଏହାବ୍ୟତୀତ ବେଆଇନ ନିଯୁକ୍ତିକୁ ନେଇ କେସ୍ ନଂ. ୩୭୯/୨୦୨୪, ଓଡ଼ିଶା ଲୋକାୟୁକ୍ତଙ୍କ ସମେତ କ୍ରାଇମ୍ବ୍ରାଞ୍ଚ, ଭିଜିଲାନ୍ସ, ଉଚ୍ଚଶିକ୍ଷା ବିଭାଗ ଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତ ପରିସରଭୁକ୍ତ ରହିଛି । ଓଡ଼ିଶା ମାନବାଧିକାର ଏହି ମହାବିଦ୍ୟାଳୟରେ ଅବସ୍ଥାପିତ ହୋଇଥିଲେ । ଆୟୋଗରେ ମଧ୍ୟ (କେସ୍ ନଂ ୩୦୭୨/୨୦୨୪) ଉଚ୍ଚଶିକ୍ଷା ବିଭାଗ ଏ ନେଇ ନିର୍ଦେଶନାମା ରୁଜୁ ହୋଇ ବିଚାରାଧୀନ ରହିଛି ।
ମହାବିଦ୍ୟାଳୟର ପରିଚାଳନା ସମିତି ଓ ଉଚ୍ଚଶିକ୍ଷା ବିଭାଗର ବିନା ଅନୁମୋଦନରେ ୨୦୦୮-୦୯ରୁ ୨୦୦୯-୧୦ ପର୍ଯ୍ୟନ୍ତ ଉତ୍କଳ ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ଜାଲ୍ କାଗଜପତ୍ର ଦେଇ ସେ ଏମ୍ଫିଲ କରିଥିଲେ । ଏହି ସମୟରେ ସେ ଉପସ୍ଥାନ ଖାତାରେ ଦସ୍ତଖତ କରି ଦରମା ମଧ୍ୟ ଉଠାଇଥିଲେ । ଏହାକୁ ନେଇ ପ୍ରବଳ ଅସନ୍ତୋଷ ବଢ଼ିବାରୁ ଯାଜପୁରର ତତ୍କାଳୀନ ଉପଜିଲ୍ଲାପାଳ ତଥା ପରିଚାଳନା ସମିତି ସଭାପତି ତାଙ୍କୁ ୨୦୨୧ ସେପ୍ଟେମ୍ବର ୬ ତାରିଖଠାରୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଥିଲେ । ୨୦୨୩ ଫେବ୍ରୁଆରି ୨୧ରେ ଉଚ୍ଚଶିକ୍ଷା ବିଭାଗ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଣ୍ଡବିଧାନ ନିମନ୍ତେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବ ସରକାର ସମୟରେ ସେ ରାଜନୈତିକ ଚାପ ପକାଇ ପୁଣି ଏହି ମହାବିଦ୍ୟାଳୟରେ ଅବସ୍ଥାପିତ ହୋଇଥିଲେ । ଉଚ୍ଚଶିକ୍ଷା ବିଭାଗ ଏନେଇ ନିର୍ଦ୍ଦେଶନାମା ଦେଇଥିଲା ।
ବଡ଼କଥା ହେଉଛି, ୨୦୨୫ ମାର୍ଚ୍ଚ ୪ ତାରିଖରେ ମହାବିଦ୍ୟାଳୟର ଅଧ୍ୟାପକ- ଅଧ୍ୟାପିକାଙ୍କ ସମେତ କର୍ମଚାରୀମାନେ ବିବାଦୀୟ ଅଧ୍ୟାପକ ପଣ୍ଡା ସାରଙ୍କୁ ନିଲମ୍ବିତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ମୁଦୁଲି ମଧ୍ୟ ଅଧ୍ୟାପକଙ୍କୁ ତୁରନ୍ତ ବହିଷ୍କାର କରିବା ଲାଗି ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଥିବା କହିଛନ୍ତି । ଏହା ସତ୍ତ୍ବେ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏହାଦ୍ବାରା ମହାବିଦ୍ୟାଳୟର ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେଉଥିବାରୁ ଅଧ୍ୟାପକଙ୍କୁ ତୁରନ୍ତ ହଟାଇବାକୁ ଅଭିଭାବକମାନେ ଦେଇଛନ୍ତି । ନଚେତ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଏ ସଂପର୍କରେ ଅଧ୍ୟାପକ ନିରଞ୍ଜନ ପଣ୍ଡା କହିଛନ୍ତି ଯେ ୨୦୨୧ରେ ତାଙ୍କୁ ଯୌନ ଶୋଷଣ ଅଭିଯୋଗରେ ଫସାଇ ଦିଆଯାଇଥିଲା । ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି । ଏବେ ତାଙ୍କ ନାମରେ ନାନାଦି ମିଛ ଅଭିଯୋଗ ଅଣାଯାଉଛି ବୋଲି ସେ ସଫେଇ ଦେଇଛନ୍ତି ।