କନକ ବ୍ୟୁରୋ : ଅନୁଗୁଳ ଶ୍ୟାମସୁନ୍ଦରପୁରର ୧୧ ବର୍ଷୀୟା ନାବାଳିକା- ଜସ୍ମିନ ସେଠ ମୃତ ଦେହ ମିଳିବାକୁ ୩୬ଘଂଟା ବିତିଲାଣି, କିନ୍ତୁ ଜସ୍ମିନର ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠାଇବାରେ ସଫଳ ହୋଇପାରିନି ପୁଲିସ୍ । ଘଟଣାସ୍ଥଳକୁ ଯାଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଛାନଭିନ ଜାରି ରଖିଥିଲେ ବି କାରଣ ଖୋଜିପାଇନାହାନ୍ତି । ଯାହାକୁ ନେଇ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକ ଅସନ୍ତୋଷ  ପ୍ରକାଶ କରିଛନ୍ତି । ଅତିରିକ୍ତ ଏସପି କହିଛନ୍ତି ପଚରାଉଚରା ଜାରି ରହିଛି । ମୃତ୍ୟୁର କାରଣ ଜଣାପଡ଼ିନି । ଶବ ବ୍ୟବଚ୍ଛେଦ ରିପୋର୍ଟ ନଆସିବା ଯାଏଁ କିଛି କହି ହେବନି ।  ତେବେ ଖୁବଶୀଘ୍ର ଏ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଅତିରିକ୍ତ ଏସ୍‌ପି ।  

Advertisment

ଅପରପକ୍ଷରେ ଝିଅକୁ ହରାଇ ଆତ୍ମହରା ହୋଇପଡ଼ିଛନ୍ତି ବାପା-ମାଆ ଓ ସମ୍ପର୍କୀୟ । ଝିଅର ଫଟୋକୁ ଦେଖି ମାଆ ହତବାକ୍‌ ହୋଇ ଚାହିଁରହିଛି ତ’ ବାପା ଆଖିରୁ ବହିଚାଲିଛି ଲୁହ ଧାରା । ସାଇପଡ଼ିଶା ବି କୋହ ସମ୍ଭାଳି ପାରୁନାହାନ୍ତି । ଏମିତିକି ସୋମବାର ସ୍କୁଲକୁ ଯିବା ପାଇଁ ନିଜ ବ୍ୟାଗରେ ରଖିଥିବା ପିଜୁଳି ଓ କ୍ରେୟନକୁ ଦେଖାଇ କାନ୍ଦୁଛନ୍ତି ପରିବାର ଲୋକେ । ଦୁଇ ଦିନ ପରେ ବି ନାବାଳିକାଙ୍କ ମୃତ୍ୟୁର କାରଣ ଖୋଜି ନପାଇବା ଅନୁଗୁଳ ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।