କନକ ବ୍ୟୁରୋ: ଓଡ଼ିଶାର ଯୁବପିଢ଼ିଙ୍କୁ ମତୁଆଲା କରୁଛି ନେପାଳ ଓ ପଶ୍ଚିମବଙ୍ଗରୁ ଆସୁଥିବା ବ୍ରାଉନ୍‌ସୁଗାର । ରାଜଧାନୀରେ ଏଜେଣ୍ଟ ରଖି ଆଖପାଖ ଜିଲ୍ଲାକୁ ଚାଲାଣ କରୁଥିଲେ ନିଶାଡ଼ି ଗ୍ୟାଙ୍ଗ୍ । ନିଶା ଟଙ୍କାରେ ଦାମୀ ଗାଡ଼ି, ଗହଣା କଣିବା ସହ ତାରକା ହୋଟେଲ୍‌ରେ ମଉଜ ବି କରୁଥିଲେ । ଏଭଳି ଏକ ନିଶା ମାଫିଆ ରାକେଟ୍‌ର ପର୍ଦ୍ଦାଫାସ କରିଛି କମିସନରେଟ୍‌ ପୁଲିସ ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌  ।

Advertisment

ରାକେଟର ମାଷ୍ଟର୍‌ମାଇଣ୍ଡ ହେଉଛି ଖୋର୍ଦ୍ଧା ଟାଉନ୍‌ ଥାନା ଅଞ୍ଚଳର ଅନିତା ପରମଗୁରୁ ଓରଫ ଲିନା ।  ସେହିପରି ନିମାପଡ଼ା ଅଞ୍ଚଳର ରାଜେନ୍ଦ୍ର କୁମାର ସାହୁ ଓ ଶିବ ପ୍ରସାଦ ଦାଶକୁ କମିସନରେଟ୍‌ ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ୫୫୦ ଗ୍ରାମ ଓଜନର ବ୍ରାଉନ୍‌ସୁଗାର, ୨ଟି ଦାମୀ କାର, ୫୦ ଗ୍ରାମରୁ ଅଧିକ ଓଜନର ସୁନାଗହଣା ଓ ନଗଦ ୫ଲକ୍ଷ ଟଙ୍କା ଜବତ କରାଯାଇଛି । 

ସୂଚନା ମୁତାବକ, ଦୀର୍ଘଦିନ ହେବ ଲିନା ରାଜଧାନୀରେ ରହି ଧଳାଜହର ବ୍ୟବସାୟ ଚଳାଇଥିଲା । ଏଥିପାଇଁ ସେ ବିଭିନ୍ନ ଏଜେଣ୍ଟ ସୃଷ୍ଟି କରିଥିଲା । ସେମାନଙ୍କୁ  ମୋଟା ଅଙ୍କର କମିସନ ଦେଇ ବିଭିନ୍ନ ଜିଲ୍ଲାର ଖୁଚୁରା ବ୍ୟବସାୟୀଙ୍କୁ ବ୍ରାଉନ୍‌ସୁଗାର ଯୋଗାଉଥିଲା । ଯେଭଳି ପୁଲିସ କି କୌଣସି ଗୁଇନ୍ଦା ସଂସ୍ଥା ତାର ବ୍ୟବସାୟ ସମ୍ପର୍କରେ ଟେର୍‌ ପାଇପାରିବ ନାହିଁ ଏଥିପାଇଁ ସେ ନେପାଳ ଓ ପଶ୍ଚିମବଙ୍ଗରୁ ପାର୍ସଲ ମାଧ୍ୟମରେ ବ୍ରାଉନ୍‌ସୁଗାର ମଗାଉଥିଲା । ବ୍ରାଉନ୍‌ସୁଗାର ରାଜଧାନୀରେ ପହଞ୍ଚିବା ପରେ ଏଜେଣ୍ଟଙ୍କ ମାଧ୍ୟମରେ କୋଡ୍‌ୱାଡ୍‌ ବ୍ୟବହାର କରି ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, ଖୋର୍ଦ୍ଧା ଆଦି ଜିଲ୍ଲାକୁ ପଠାଉଥିଲା । 

ବଡ଼ କଥା ହେଉଛି ଏହି ରାକେଟ୍‌ ପଛରେ କିଛି ବଡ଼ ମାଫିଆଙ୍କ ହାତ ଥିବା ଏସ୍‌ସିୟୁ ହାତରେ ଖବର ଲାଗିବା ପରେ ସେ ଦିଗରେ ଅଧିକ ଖୋଳତାଡ଼ କରିଛି । ଏଥିପାଇଁ ୩ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ସିଡିଆର୍‌ ରିପୋର୍ଟ ଯାଞ୍ଚ କରାଯାଉଛି ।