କନକ ବ୍ୟୁରୋ: ରାଗିଂକୁ ନେଇ ପୂର୍ବରୁ ବିବାଦ ଘେରରେ ଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ପୁଣି ରାଗିଂ ବିବାଦରେ ଫସିଛି । ରେଭେନ୍ସା ଇଷ୍ଟ ହେଷ୍ଟେଲର ନୂତନ ଅନ୍ତେବାସୀଙ୍କୁ ରାଗିଂ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ରାଗିଂ ହୋଇଥିବା ନେଇ ମଧ୍ୟ ଇଷ୍ଟ ହଷ୍ଟେଲର ଚିଫ୍ ୱାର୍ଡେନ୍ ପ୍ରଫେସର ସୁଦର୍ଶନ ମିଶ୍ର ମାନିଛନ୍ତି । କାରଣ ରାଗିଂ ହୋଇଥିବା ନେଇ ପ୍ରମାଣ ରହିଛି । ଭିଡିଓ ଫଟୋ ସବୁ କିଛି ଆଣ୍ଟି ରାଗିଂ କମିଟିକୁ ପଠାଯାଇଛି । ଗତ ରାତି ୧୨ଟା ପରେ ଇଷ୍ଟ ହଷ୍ଟେଲର କିଛି ସିନିୟର୍ ଛାତ୍ର ଏକାଠି ହୋଇ ଜୁନିୟର ଛାତ୍ରଙ୍କୁ ଗାଳି ଗୁଲଜ କରୁଥିଲେ । ଆଣ୍ଟି ରାଗିଂ କମିଟିର ତଦନ୍ତ ଶେଷ ହେବା ଯାଏଁ ନିଲମ୍ବିତ ନିର୍ଦ୍ଦେଶ କାଏମ ରହିବ । ରାଗିଂ ଘଟଣା ସାମ୍ନାକୁ ଆସିବା ପରେ ରେଭେନ୍ସା କର୍ତ୍ତୃପକ୍ଷ ତୁରନ୍ତ ୧୦ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରିଛନ୍ତି ।

Advertisment

ହଷ୍ଟେଲ୍ ଅନ୍ତେବାସୀଙ୍କ ଏପରି କାର୍ଯ୍ୟକଳାପ ପାଇଁ ଆଜି ରେଭେନ୍ସା କର୍ତ୍ତୃପକ୍ଷ ସେମାନଙ୍କୁ ହଷ୍ଟେଲ୍‌ରୁ ବାହାର କରିଦେବା ସହ ସେମାନଙ୍କ ଅଭିଭାବକଙ୍କୁ ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ରେଭେନ୍ସା ପରିସରରେ କୌଣସି ପ୍ରକାର ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ । ଛାତ୍ରଛାତ୍ରୀଙ୍କୁ ଏ ନେଇ ସଚେତନ କରାଯିବା ସହ ସମସ୍ତ ହଷ୍ଟେଲ୍ ଓ ବିଭାଗକୁ ନିୟମିତ ଭାବେ ରେଭେନ୍ସା କର୍ତ୍ତୃପକ୍ଷ ପରିଦର୍ଶନରେ ଯିବେ ବୋଲି କୁଳପତି ପ୍ରଫେସର ସଂଜୟ କୁମାର ନାୟକ କହିଛନ୍ତି ।

ଜୁଲାଇ ୧୭ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେ ଆଣ୍ଟି ରାଗିଂ କମିଟିର ବୈଠକ ବସିଥିଲା । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆଣ୍ଟି ରାଗିଂ କମିଟି, ଆଣ୍ଟି ରାଗିଂ ସ୍କ୍ୱାର୍ଡ, ଆଣ୍ଟି ରାଗିଂ ସେଲ୍‌ ରହିବ ବୋଲି ନିଷ୍ପତ୍ତି ହୋଇଥିଲା । ନୂତନ ଏସ୍‌ଓପି ନ ଆସିବା ଯାଏଁ ଏହି ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ହେଲେ ନିୟମକୁ ଫୁ କରି ଦେଉଛନ୍ତି କିଛି ଅସଭ୍ୟ ଓ ଗୁଣ୍ଡାଗର୍ଦ୍ଦି କରୁଥିବା ଯୁବବର୍ଗ ।

ରେଭେନ୍ସାରେ ରାଗିଂ ଘଟଣା ଖାଲି ଏବେର ନୁହେଁ ପୂର୍ବରୁ ୨୦୧୬ ନଭେମ୍ବର ୮ ତାରିଖରେ ଜଣେ ଛାତ୍ରୀଙ୍କ ହଷ୍ଟେଲ ରୁମମେଟ୍ ମାନେ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ୨୦୧୭ ଜୁଲାଇ ୧୦ ତାରିଖରେ ଲଳିତଗିରି ହଷ୍ଟେଲ ପରିସରରେ କିଛି ପିଲା ଗ୍ରୁପ୍ ହୋଇ ଅନ୍ୟ ଏକ ପିଲାକୁ ରାଗିଂ କରିବା ସହ ମାଡ଼ ମାରିଥିଲେ । ୨୦୧୮ ଅଗଷ୍ଟ ୧୭ରେ କିଛି ସିନିୟର୍ ଛାତ୍ରମାନେ ଜଣେ ଛାତ୍ରଙ୍କୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରିବାକୁ ବାଧ୍ୟ କରି ରାଜି ନହେବାରୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ୨୦୧୮ ଫେବ୍ରୁଆରି ୧ରେ ଯୁକ୍ତ ତିନି ଛାତ୍ର ସିନିୟର୍ ଗ୍ରୁପ୍ ଛାତ୍ରଙ୍କ ଦ୍ଵାରା ନିର୍ଯାତନା ଶିକାର ହୋଇଥିବା ନେଇ ଆଣ୍ଟି ରାଗିଂ କମିଟି ପାଖେ ଅଭିଯୋଗ କରିଥିଲେ । ଏହାପରେ ୨୦୨୦, ୨୦୨୧ ବର୍ଷ ପରେ ବର୍ଷ ବିତିଯାଇଛି କିନ୍ତୁ ରାଜ୍ୟର ଏହି ଐତିହାସିକ ବିଶ୍ୱବିଦ୍ୟାଳୟକୁ ଯେମିତି ପିଛା ଛାଡୁନି ରାଗିଂ ବିବାଦ ।