କନକ ବ୍ୟୁରୋ : ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷର ନିଆଁ ଜଳୁଛି । ଜଣେ ସାହସୀ ଝିଅ ଏଭଳି ଚରମ ପଦକ୍ଷେପ ନେଇଥିବାରୁ ଏଥିପାଇଁ ପୂରା ବ୍ୟବସ୍ଥାକୁ ଦାୟୀ କରାଯାଉଛି । ବିରୋଧୀ ସରକାରକୁ ଘେରୁଛନ୍ତି । ଏସବୁ ଭିତରେ ପୂରା ମାମଲା ଉପରୁ ପରଦା ହଟାଇବା ପାଇଁ ଜୋରଦାର ହୋଇଛି ତନାଘନା ।
ଛାତ୍ରୀ ଆତ୍ମାହୁତିକୁ ନେଇ ଲୋକଙ୍କ ଆକ୍ରୋଶ, ବିରୋଧୀଙ୍କ ବିକ୍ଷୋଭ ଭିତରେ ତଦନ୍ତ ଜୋରଦାର ହୋଇଛି । ଆତ୍ମାହୁତି ପଛର ରହସ୍ୟ ଜାଣିବା ପାଇଁ ବାଲେଶ୍ୱରରେ ଗୋଟିଏ ଦିନରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍, ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ କମିଟି, ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି ।
କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ଏଫ୍ଏମ୍ କଲେଜରେ ଛାନ୍ଭିନ୍ ଚଳାଇଥିବା ବେଳେ ଆଉ ଗୋଟିଏ ଟିମ୍ ମୃତ ଛାତ୍ରୀଙ୍କ ଗାଁ ପଳାସିଆକୁ ଯାଇଛନ୍ତି । ସେଠାରେ ଛାତ୍ରୀଙ୍କ ବାପାମା’, ଭାଇଙ୍କୁ ପଚରାଉଚରା କରିଛନ୍ତି । ପ୍ରଥମ ଦିନରେ କଲେଜଠାରୁ ୫ଶହ ମିଟର ଦୂରରେ ଥିବା ପେଟ୍ରୋଲ ପମ୍ପକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ । ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ପଚରାଉଚରା କରିଥିଲେ । ୧୧, ୧୨ ଓ ୧୩ ତାରିଖ ତିନି ଦିନର ସିସିଟିଭି ଫୁଟେଜ୍ ସଂଗ୍ରହ କରିଛନ୍ତି ।
ବିଭିନ୍ନ ଦିଗକୁ ନେଇ ୪ ଜଣିଆ ଟିମ୍ ଛାନ୍ଭିନ୍ କରିଛନ୍ତି ୟୁଜି ଫାକ୍ଟ ଫାଇଣ୍ଡିଂ ଟିମ୍ । ଯେଉଁ ସ୍ଥାନରେ ଛାତ୍ରୀ ଆତ୍ମାହୁତି ଦେଇଥିଲେ ସେହି ସ୍ଥାନରେ ପହଞ୍ଚି ତଦନ୍ତ କରିଛନ୍ତି ଟିମ୍ । ଆଣ୍ଟି ହାରସମେଣ୍ଟ ସେଲ୍, ଆଇସିସି କମିଟିର ସଦସ୍ୟ ଓ ଅନ୍ୟମାନଙ୍କୁ ପଚରାଉଚରା କରିଛନ୍ତି । ୭ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ ଟିମ୍ ।
ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରୀୟ ଟିମ୍ ମଧ୍ୟ କଲେଜରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି । କମିଟିର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ ଆଇସିସିର ସଦସ୍ୟମାନଙ୍କୁ ପଚରାଉଚରା କରିଛନ୍ତି ଉଚ୍ଚଶିକ୍ଷା ବିଭାଗର ଟିମ୍ । ଏହି ଟିମ୍ ଦୁଇ ଦିନ ବାଲେଶ୍ୱରରେ ରହି ବିଭିନ୍ନ ଦିଗରୁ ତଦନ୍ତ କରିବ । ଛାତ୍ରୀ ଜଣଙ୍କ ଆତ୍ମାହୁତି ଉଦ୍ୟମ କରିବା ପରେ ଏହି ଟିମ୍ କଲେଜକୁ ଆସି ପ୍ରାଥମିକ ରିପୋର୍ଟ ଦେଇଥିଲେ ।
ପ୍ରଶ୍ନ ଉଠୁଛି, ମୃତ ଛାତ୍ରୀଙ୍କୁ ନ୍ୟାୟ ମିଳିବ ତ ? ନା କିଛି ଦିନ ପରେ ଅନ୍ୟମାନଙ୍କ ଭଳି ଏହି ଫାଇଲ୍ ପୁଣି ଚାପି ହୋଇଯିବ ?