କନକ ବ୍ୟୁରୋ: ମଞ୍ଚେଶ୍ବର ଘଟଣାକୁ ୨ ଦିନ ନପୂରୁଣୁ ପୁଣି ରାଜଧାନୀରେ ଆଉ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଯାଁଳା ନିକଟରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀ ଓ ତାଙ୍କ ସହ ଥିବା ଜଣେ ଯୁବକଙ୍କୁ ଅପହରଣ ଉଦ୍ୟମ ନେଇ ଥାନାରେ ଅଭିଯୋଗ ହୋଇଛି । ଯାହା ପରେ ଏବେ ରାଜଧାନୀରେ ମହିଳାମାନେ ନିଜକୁ ପୂରା ଅସୁରକ୍ଷିତ ବୋଲି ମନେକଲେଣି ।
ସୂଚନା ମୁତାବକ, ଅଭିଯୋଗକାରିଣୀଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ସହକର୍ମୀଙ୍କ ଘର ପିପିଲି ଅଞ୍ଚଳରେ । ଉଭୟ ଗୋଟିଏ ସଂସ୍ଥାରେ କାମ କରନ୍ତି । ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଉଭୟ ଏକ ସ୍କୁଟିରେ ଘରକୁ ଫେରୁଥିଲେ । ଯାଁଳା ନିକଟରେ ଏକ କାର୍ ତାଙ୍କୁ ସାଇଡ୍ ମାରିଥିଲା । ଏହା ପରେ କାର୍ଟି ତାଙ୍କ ପଛେପଛେ ଧୀରେ ଧୀରେ ଚାଲିଥିଲା । କିଛି ସମୟ ପରେ ସ୍କୁଟି ସମ୍ମୁଖରେ କାର୍ ରଖି ସେଥିରୁ ୫ଜଣ ଯୁବକ ଓହ୍ଲାଇଥିଲେ । ଯୁବତୀ ଓ ଯୁବକଙ୍କୁ ଆକ୍ରମଣ କରି ମୋବାଇଲ୍ ଛଡ଼ାଇ ନେଇଥିଲେ । ଏପରିକି ଯୁବତୀଙ୍କୁ କାର୍ ଭିତରକୁ ଜୋର୍ କରି ଟାଣିନେବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ କିଛି ଲୋକ ଅଟକି ଯିବାରୁ ଦର୍ବୃତ୍ତମାନେ ଭୟକରି ସେଠାରୁ ପଳାଇଥିଲେ । ଇନ୍ଫୋଭ୍ୟାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀ ଓ ତାଙ୍କ ସାଙ୍ଗଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା । ପୀଡ଼ିତା ଜଣକ ସେହି ଦୁର୍ବୃତ୍ତମାନଙ୍କ ମଧ୍ୟରୁ ତିନିଜଣଙ୍କୁ ଚିହ୍ନିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଇନ୍ଫୋଭ୍ୟାଲି ଥାନା ପୁଲିସ ଏକ ମାମଲା ରୁଜୁ ତଦନ୍ତ ଚଳାଇଛି ।
ଖାଲି ଏତିକି ନୁହେଁ ଗତ ଶନିବାର ଦିନ ମଞ୍ଚେଶ୍ବର କେନାଲ୍ ରୋଡ୍ (ସାଇମନ୍ଦିର ପାଖ) ନୂଆ ପୋଲ ପାଖରେ ମଧ୍ୟ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିଲା । ଶ୍ରୀରାମନଗରରେ ରହୁଥିବା ଜଣେ ଯୁବତୀ କୌଣସି କାମରେ ଯାଇ ଘରକୁ ଫେରୁଥିଲେ । ଷ୍ଟେସନ୍ ପଟୁ ସେ ଚାଲି ଚାଲି ଘରକୁ ଆସୁଥିବା ବେଳେ ସେଠାରେ ବସିଥିବା ନିଶାସକ୍ତ ଯୁବକମାନେ ତାଙ୍କୁ କମେଣ୍ଟ ମାରିଥିଲେ । ଯୁବତୀ ଜଣକ ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଏକ ନିଛାଟିଆ ଜାଗାକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଯୁବତୀ ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଦୌଡ଼ି ଆସିଥିଲେ, ଫଳରେ ସଇତାନମାନେ ସେଠାରୁ ଫେରାର ହୋଇଯାଇଥିଲେ । ହେଲେ ନିଶାସକ୍ତ ଯୁବକମାନେ ତାଙ୍କୁ ଖଣ୍ଡିଆଖାବରା କରିଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଯୁବତୀଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।
ଠିକ୍ ସେହିପରି ଗତ ମାସରେ ଭୁବନେଶ୍ବରର ଛାତି ଉପରେ ପୁଲିସ ଆଖିରେ ଧୂଳି ଦେଇ ଯୁବତୀଙ୍କୁ ଅପହରଣ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଜୟଦେବ ବିହାର ଅଞ୍ଚଳରେ ଚଳନ୍ତା ଅଟୋରୁ କଳେ ବଳେ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ ଯୁବତୀ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯାଗ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିବା ସହ ଆହତ ଯୁବତୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲା । ତେବେ ଏମିତି ବାରମ୍ବାର ଅପରାଧ ଘଟିବା ପରେ ମଧ୍ୟ କାହିଁକି ଚେତୁନି କମିସରେଟ୍ ପୁଲିସ? ପାଟ୍ରୋଲିଂରେ କାହିଁକି କୋହଳ ହେଉଛି? ଅପରାଧୀ ମାନଙ୍କ ମନରୁ ପୁଲିସର ଭୟ କମି ଯାଉଛି କି?