କନକ ବ୍ୟୁରୋ : ଲୋକସେବା ଭବନ ପାଖରେ ମାଳ ମାଳ ଦଲାଲ । ନକଲି ଆଇଡି ତିଆରି କରି ପାୱାର କରିଡରରେ ରାଜ୍‌ କରୁଛନ୍ତି ଦଲାଲ । ସୁରକ୍ଷାକର୍ମୀ ଥାଇ ବି ସୁରକ୍ଷାବଳୟ ଭେଦ କରି ବୁଲୁଛନ୍ତି ଦଲାଲ । କାହାର ବଦଳି ତ କାହାକୁ ଚାକିରିର ଲୋଭ ଦେଖାଇ ଲୁଟି ନେଉଛନ୍ତି ଲକ୍ଷଲକ୍ଷ । ଆପଣ ବି ସେମାନଙ୍କ ଭଳି ଏହି ଠକ ହାବୁଡ଼ରେ ପଡ଼ି ନାହାନ୍ତି ତ ?

Advertisment

ନାଁ ସନ୍ଦୀପ ପ୍ରଧାନ । ନକଲି ଆଇଡି ଧରି ନିଇତି ଯାଉଥିଲେ ଲୋକସେବା ଭବନ । ଚାକିରି କରାଇବାକୁ କହି ଲୋକଙ୍କୁ ଲଗାଉଥିଲେ ଚୂନ । ବାବୁଙ୍କ କାରନାମା ଧରା ପଡ଼ିବା ପରେ, ଆଉ ମୁହଁ ଦେଖାଇ ପାରୁନାହାନ୍ତି । ଧଳା ସାର୍ଟ ପିନ୍ଧା ଦଲାଲର କଳା କାରନାମା ସାମ୍ନାକୁ ଆସିଛି । ଦାଉ ଦାଉ ହୋଇ ହଳଦିଆ ବର୍ଡ଼ର ଥିବା ଏହି ଆଇଡିରେ ଜଳୁଛି ଗଭରମେଣ୍ଟ ଅଫ ଓଡିଶା ହୋମ ଡିପାର୍ଟମେଣ୍ଟ । ୟୁନିସେଫ ଡିପାର୍ଟମେଣ୍ଟ ଲେଖି ଅତି ଚତୁରତାର ସହ ଅବାଧରେ ଯାଉଥିଲା ଲୋକସେବା ଭବନ । କାହାର ଚାକିରି, କାହାର ବଦଳି, କାହାର ଫାଇଲ କାମ କରିବାକୁ କହି ଲୋକଙ୍କୁ ଲୁଟିଥିଲେ । ତେବେ ୬ ନମ୍ବର ଗେଟ ବାଟ ଦେଇ ହିଟରକୁ ପ୍ରବେଶ ବେଳେ, ମାଡ଼ି ବସିଛି କମିସନରେଟ ପୁଲିସ ।

ତେବେ ଏହି ଗୋଟିଏ କେସ ନୁହେଁ, ଠିକ ୬ ମାସ ତଳେ ଜାନୁଆରି ୧୩ ତାରିଖରେ ବନ୍ଧା ହୋଇଥିଲା ବ୍ୟାସଦେବ ରଣା । ସେତେବେଳେ ଲୋକସେବା ଭବନରେ ଚାକିରି କରିଦେବାକୁ କହି ସାମାନ ଢଙ୍ଗରେ ଚୁନା ଲଗାଇ ଜେଲ ଯାଇଥିଲା । ଲୋକସେବା ଭବନର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇ ଦେଇଛି । ଘଟଣା ପରେ, ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଦଲାଲ ଧରା ପଡ଼ୁଛନ୍ତି, କିନ୍ତୁ ଆଇଡ଼ି ତିଆରି ହବ ପାଖରେ ପହଞ୍ଚିନି ପୁଲିସ I ପ୍ରଶ୍ନ ଉଠୁଛି, ଲୋକସେବା ଭବନର ଅବିକଳ ଆଇକାର୍ଡ ଓ ହଲୋଗ୍ରାମ୍‌ ପଛରେ କିଏ ? କିଏ ଏବଂ କାହିଁକି ତିଆରି କରୁଛି ? କେତେ ଆଇଡି ଏବେ ବି ଖୋଲା ବଜାରରେ ବୁଲୁଛି ? କେବେ ବନ୍ଧା ହେବ ମାଷ୍ଟର୍‌ ମାଇଣ୍ଡ ଆଉ କେବେ ବନ୍ଦ ହେବ ଦଲାଲ୍‌ ରାଜ୍‌ ?