କନକ ବ୍ୟୁରୋ : ଆଦିବାସୀଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ମୌଳିକ ସୁବିଧା, ଶିକ୍ଷା, ସ୍ୱାସ୍ଥ୍ୟ ଆଦିରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ହାତକୁ ନେଇଛନ୍ତି । ଆଦିବାସୀ ଛାତ୍ରଛାତ୍ରୀଙ୍କ ପଢ଼ାରେ ସୁବିଧା ପାଇଁ ସ୍କୁଲ ସହ ହଷ୍ଟେଲରେ ମାଗଣା ରହିବା ଖାଇବା ଆଦିର ବ୍ୟବସ୍ଥା କରିଛନ୍ତି । ହେଲେ କିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଷଣ୍ଢପଥରରେ ଥିବା ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚମାଧ୍ୟମିକ ବିଦ୍ୟାଳୟରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ଆଦିବାସୀ ହଷ୍ଟେଲ ରହୁଥିବା ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ଠାରୁ ବିଭିନ୍ନ ଆଳରେ ଟଙ୍କା ଅସୁଲି କରିଛନ୍ତି । ସାର୍ଟିଫିକେଟ୍ ପାଇଁ ୫୦୦ ଟଙ୍କା, ପିକନିକ୍ ନଯାଇ ମଧ୍ୟ ୧୦୦୦ ଟଙ୍କା, ମେସ୍ରେ ରହୁନଥିବା ପିଲାଙ୍କଠୁ ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।
ଆଦିବାସୀ ଛାତ୍ରଛାତ୍ରୀଙ୍କ ଠାରୁ କୌଣସି ପ୍ରାପ୍ୟ ନେବାର ପ୍ରାବଧାନ ନାହିଁ । ତଥାପି କାହିଁକି କେଉଁ ପରିସ୍ଥିତିରେ ଅଧ୍ୟକ୍ଷା ଟଙ୍କା ନେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଅଭିଯୋଗ ପରେ ପ୍ରଶାସନର ନିଦ ଭାଙ୍ଗିଛି । ଜିଲ୍ଲାମଙ୍ଗଳ ଅଧିକାରୀ କଲେଜ୍କୁ ତଦନ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଅଧ୍ୟକ୍ଷାଙ୍କ ଏଭଳି ଅସୁଲିକୁ ନେଇ ସ୍କୁଲର ପରିଚାଳନା କମିଟି, ଶିକ୍ଷକ ଆଦି ବାରଣ କରିବାରୁ ସେମାନଙ୍କୁ ମଧ୍ୟ ସ୍କୁଲରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି ।