କନକ ବ୍ୟୁରୋ : ଦିନକୁ ଦିନ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଚୋରି ବଢ଼ିଚାଲିଛି । ଆଉ ନିଜ ଗାଁକୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛନ୍ତି ଗ୍ରାମବାସୀ । ପାଳିକରି ଗାଁ ଜଗୁଛନ୍ତି । ହାତରେ ଠେଙ୍ଗାବାଡ଼ି ଧରି ହ୍ବିସିଲ ମାରି ରାତିରେ ପଇଁତରା ମାରୁଛନ୍ତି । ବାରମ୍ବାର ଚୋରି ହେଉଥିଲେ ବି ପୁଲିସ ପ୍ରଶାସନ ପକ୍ଷରୁ ସେମିତି କିଛି ପଦକ୍ଷେପ ନିଆଯାଇନାହିଁ । ରାତିରେ ପାଟ୍ରୋଲିଂ କରାଯାଉନାହିଁ । ତେଣୁ ନିଜ ସୁରକ୍ଷା ପାଇଁ ଅଂଟା ଭିଡ଼ିଛନ୍ତି ଗ୍ରାମବାସୀ । ଅନନ୍ତପୁର ପଞ୍ଚାୟତ ଅଇଁରୀ ଗାଁର ନୂଆସାହିରୁ ୫୦ ପରିବାରରୁ ୫୦ ଜଣ ଲୋକ ନିଜ ଗାଁ ସମେତ ପଡୋଶୀ ଗାଁକୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛନ୍ତି । ଗାଁ ଲୋକ ଶାନ୍ତିପଥ ନାଁରେ ଏକ କମିଟି ଗଠନ କରିଛନ୍ତି । କମିଟିର ସଭାପତି ତଥା ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ଦେବେନ୍ଦ୍ର କୁମାର ସାହୁ, ସମ୍ପାଦକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମକୃଷ୍ଣ ଜେନା, ସମାଜସେବୀ ବିଜୟ ବିଶ୍ୱାଳ ଓ ସଞ୍ଜିବ କୁମାର ପ୍ରଧାନ ପ୍ରମୁଖ ଅଛନ୍ତି । ପ୍ରତିଦିନ ୪ ଜଣ ଲୋକ ହାତରେ ଠେଙ୍ଗା, ଟର୍ଚ୍ଚ ଓ ହୁଇସିଲ ନେଇ ପାଇଁତରା ମାରୁଛନ୍ତି ।
ରାତି ୧୧ ଟାରୁ ରାତି ସାଢେ ୩ଟା ପର୍ଯ୍ୟନ୍ତ ଦୁଇଜଣ ଚାଲିଚାଲି ଓ ଅନ୍ୟ ଦୁଇଜଣ ଦୁଇଟି ବାଇକରେ ବୁଲିବୁଲି ଅଇଁରୀ ଛକରୁ ଅନନ୍ତପୁର କଲେଜ, ଅଇଁରୀ ଛକରୁ ହାଟସାହି ଓ ହାଟସାହିରୁ ବଳଭଦ୍ରପୁର ପର୍ଯ୍ୟନ୍ତ ପାଇଁତରା ମାରୁଛନ୍ତି । ସ୍ଥାନୀୟ ଲୋକଙ୍କର ଏପରି କାମକୁ ପ୍ରଶଂସା କରାଯାଇଥିବା ବେଳେ ସୋର ପୁଲିସର ନିସ୍କ୍ରିୟତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବା ସହ ସୋର ଥାନାରେ ଜଣେ ଦକ୍ଷ ଅଧିକାରୀଙ୍କ ନିଯୁକ୍ତି ପାଇଁ ଦାବି ହୋଇଛି । ଗତ ମାସକ ଭିତରେ ସୋର ବ୍ଲକର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଲୁଟ୍ କରି ଫେରାର ଅଛନ୍ତି ଲୁଟେରା । ପୁଲିସ ପକ୍ଷରୁ ପେଟ୍ରୋଲିଂ ନହେବାରୁ ସ୍ଥାନୀୟ ଅଞ୍ଚଳରେ ଏବେ ବି ଭୟର ବାତାବରଣ ରହିଛି ।