କନକ ବ୍ୟୁରୋ : ଗୋପାଳପୁର ସମୁଦ୍ର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣାସ୍ଥଳ ବୁଲି ଦେଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀଙ୍କ ସହିତ ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ ଓ ବ୍ରହ୍ମପୁର ଉପ ଜିଲ୍ଲାପାଳ ଦୀନା ଦସ୍ତାଗୀର, କନିଷି ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରେମୀ ଯୁଗଳ କେଉଁଠି ବସିଥିଲେ ଓ କେଉଁଠି ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା ସେ ନେଇ ବ୍ରହ୍ମପୁର ଏସପି ମନ୍ତ୍ରୀଙ୍କୁ ସେହି ସ୍ଥାନ ଦେଖାଇଥିଲେ । ବେଳାଭୂମିରେ ନିର୍ମାଣ କରାଯାଇଥିବା ୪ଟି କ୍ୟାବିନ ନିକଟରେ ହିଁ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ତେଣୁ ଏହି କ୍ୟାବିନକୁ ତୁରନ୍ତ ଉଚ୍ଛେଦ କରିବା ନେଇ ସ୍ଥାନୀୟ ତହସିଲଦାରଙ୍କୁ କହିଛନ୍ତି ମନ୍ତ୍ରୀ ।
ବେଳାଭୂମିରେ ଆଲୋକିକରଣ କରାଯିବା ସହିତ ପେଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯିବ। ସେପଟେ ଗୋପାଳପୁର ଥାନାରେ ପହଞ୍ଚିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶ ଶେଖର। ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ତେଣୁ ଘଟଣାକୁ ରେଡ୍ ଫ୍ଲାଗ ଭାବେ ବିବେଚିତ କରିବା ସହ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । କ୍ରାଇମବ୍ରାଞ୍ଚର ଜଣେ ଆଇଜି ଘଟଣାର ଦାୟିତ୍ଵ ନେଇ ତଦନ୍ତ କରୁଥିବା ବେଳେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେଣୁ ଏଭଳି ଘଟଣା ସମୁଦ୍ର ବେଳାଭୂମିରେ ପୁନର୍ବାର ନହୁଏ ତାହାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ପୁଲିସ ସମସ୍ତ ପ୍ରକାରର ପଦକ୍ଷେପ ନେବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।