କନକ ବ୍ୟୁରୋ : ମେଘାଳୟ ପୁଲିସ କ୍ରାଇମବ୍ରାଞ୍ଚ ଟିମର ଚକ୍ରବ୍ୟୁହରେ ଫସିବା ପରେ ଶେଷରେ ସତ ମାନିଛି ସୋନମ ରଘୁବଂଶୀ । କାହିଁକି କେମିତି ଓ କାହା ସହ ମିଶି ସ୍ବାମୀ ରାଜା ରଘୁବଂଶୀକୁ ହତ୍ୟା କରିଛି ସେକଥା ଗୋଟି ଗୋଟି କରି ପୁଲିସ ଆଗରେ କହିଛି । ମେଘାଳୟ ପୁଲିସ ଅଭିଯୁକ୍ତ ସୋନମ ଓ ରାଜ କୁଶୱାକୁ ଏକାଠି ବସି ଜେରା କରିବା ସମୟରେ ସବୁ ସତ କଥା ସାମ୍ନାକୁ ଆସିଥିବା ସୂଚନା ମିଳିଛି । ସେପଟେ ରାଜାଙ୍କ ବାପା ଏକଥା ଆଶଙ୍କା ପ୍ରକାଶ କରିଛନ୍ତି ଯେ ସୋନମର ମଙ୍ଗଳ ଦୋଷ ଥିଲା । ତେଣୁ ପ୍ରେମିକ ରାଜ୍ ସହ ବିବାହ କରିବାକୁ ଯାଇ ରାଜାକୁ ବିବାହ କରିଥିଲା ଓ ଯୋଜାନା ମୁତାବକ ହତ୍ୟା କରିଛି ।
ମେଘାଳୟ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ‘ସୋନମ’
-ମେ’ ୧୭ରେ ରାଜ କୁଶୱା ୩ ଜଣ ସୁପାରି କିଲରଙ୍କୁ ନେଇ ମେଘାଳୟକୁ ବାହାରିଥିଲା
-ଟ୍ରେନରେ ଯାଇ ସିଲଂରେ ଏକ ହୋଟେଲରେ ରହିଥିଲା
- ମେ’ ୨୦ରେ ରାଜା ଓ ସୋନମ ଫ୍ଲାଇଟରେ ସିଲଂରେ ପହଞ୍ଚିଥିଲେ
-୨ରୁ ୩ଟି ସିମ୍ ସହ ରାଜ କୁଶୱାକୁ ଯୋଗାଯୋଗ କରୁଥିଲା ସୋନମ
-ଲାଇଭ ଲୋକେସନ ପଠାଉଥିଲେ, ଯାହାକୁ ପିଛା କରି ପହଞ୍ଚୁଥିଲା ରାଜ୍
-ଯୋଜନା ମୁତାବକ ମେ’ ୨୩ରେ ରାଜାଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ
- ମେ’ ୨୫ରେ ଇନ୍ଦୋର ଫେରିଆସିଥିଲେ
-ଇନ୍ଦୋରକୁ ଫେରିବା ପରେ ରାଜକୁ ଭେଟୁଥିଲା ସୋନମ
-ନିଖୋଜର ମିଛ କାହାଣୀ ସହ ୧୭ଦିନ ପୁଲିସକୁ ବୋକା ବନାଉଥିଲେ ଅଭିଯୁକ୍ତ
ରାଜାଙ୍କୁ ମାରିବାକୁ ସୋନମର ‘ପ୍ଲାନ ବି’
ଆକ୍ରମଣରେ ମରିନଥିଲେ ସେଲଫି ପଏଣ୍ଟରେ ଠେଲିଥାନ୍ତେ
ମେଘାଳୟ ପୁଲିସର କ୍ରାଇମବ୍ରାଞ୍ଚ ଟିମ କହିଛି ରାଜାଙ୍କୁ ହତ୍ୟା କରିବାକୁ ସୋନମ ପ୍ଲାନ ବି ମଧ୍ୟ କରିଥିଲେ । ଯଦି ଆକ୍ରମଣରେ ରାଜା ମରିନଥାନ୍ତେ ତେବେ ସେଲଫି ଉଠାଇବା ବାହାନାରେ ଠେଲିଦେବାକୁ ମଧ୍ୟ ଯୋଜନା କରିଥିଲେ ଅଭିଯୁକ୍ତ । ସେପଟେ ୫ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସ୍ପଟରେ ପହଞ୍ଚିଛି ମେଘାଳୟ ପୁଲିସ । ଆଜି କ୍ରାଇମ ସିନ ରିକ୍ରିଏସନ କରାଯାଉଛି । ତେବେ ଆଗାମୀ ଦିନରେ ହତ୍ୟା ମାମଲାକୁ ଆହୁରି ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିବା ସମ୍ଭାବନା ରହିଛି । ସେପଟେ ଏହି ଘଟଣା, ସାରା ଦେଶକୁ ଦୋହଲାଇଦେବା ସହ ବାହାଘର, ପ୍ରେମ, ପ୍ରତାରଣା ଓ ପରକ୍ରୀୟା ପ୍ରୀତି ଉପରେ ଅନେକ ପ୍ରଶ୍ନ ଛିଡା କରିଛି । ଏଭଳି ଘଟଣା ପାଇଁ କିଏ ଦାୟୀ ଏନେଇ ନୂଆ ତର୍କ ଆରମ୍ଭ ହୋଇଛି ।