କନକ ବ୍ୟୁରୋ : ଆୟକର ବିଭାଗ କବ୍ଜାରେ ବିଶାଲ ଦାସ । ନବ ଦାସଙ୍କ ପୁଅ ବିଶାଲଙ୍କୁ ପଚରାଉଚରା କରୁଛି ଆଇଟି । ଆୟକର ବିଭାଗର ଟିମ୍ ବିଶାଲଙ୍କୁ କୋଲକାତାରୁ ଆଣିଛି । ବିମାନ ଯୋଗେ ବିଶାଲଙ୍କୁ ଆଣିଛି ଆୟକର ଟିମ୍ । ଭୁବନେଶ୍ବର ଆୟକର ଭବନରେ କରୁଛି ପଚରାଉଚରା । ସନ୍ଧ୍ୟା ଯାଏଁ କରିବେ ଜେରା । ଅଧିକ ତଦନ୍ତ ପାଇଁ ନେବେ ଝାରସୁଗୁଡ଼ା ।
ଦ୍ବିତୀୟ ଦିନରେ ତଦନ୍ତ କରୁଛି ଆୟକର ବିଭାଗର ଟିମ୍ । ଗତକାଲି ବିଭିନ୍ନ ସ୍ଥାନରେ କରିଥିଲା ଚଢ଼ଉ । ବିଶାଲଙ୍କୁ ପାଉ ନଥିଲା ଆୟକର ବିଭାଗ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ବିଭିନ୍ନ ଠିକଣାରେ ଆଜି ଦ୍ବିତୀୟ ଦିନରେ ବି ଚାଲିଛି ଆୟକର ବିଭାଗର ଚଢ଼ାଉ । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ସ୍ଥିତ ବିଭିନ୍ନ ଠିକଣାରେ ପହଞ୍ଚି ଛାନଭିନ୍ ଚଳାଇଛି ଆୟକର ବିଭାଗ । ଝାରସୁଗୁଡ଼ା ସ୍ଥିତ ବାସ ଭବନରେ ଗତକାଲିଠାରୁ ଆଇଟି ରେଡ୍ ଜାରି ରହିଛି । ଏହି ଚଢ଼ାଉରେ ଆୟକର ବିଭାଗର ୧୦ ଜଣ ଅଧିକାରୀ ସାମିଲ ହୋଇଥିବା ଜଣାପଡିଛି ।
ସେପଟେ ଦ୍ବିତୀୟ ଦିନରେ ସମ୍ବଲପୁରରେ ରେଡ ଜାରି ରହିଛି । ଆଜି ସକାଳୁ ପୁଣି ସମ୍ବଲପୁରର ବିଭିନ୍ନ ସ୍ଥାନରେ ଥିବା ନବ ଦାସଙ୍କ ଭିନ୍ନ ଭିନ୍ନ ଠିକଣାରେ ପହଞ୍ଚି ଯାଞ୍ଚ କରୁଛି ଆୟକର ବିଭାଗ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ ହେଉଥିବା ସୂଚନା ମିଳିଛି । ସମ୍ବଲପୁରର ମୋଡ଼ିପଡ଼ା ଠାରେ ଥିବା ପୁରୁଣା ବାସ ଭବନ, ହୋଟେଲ ମାଣ୍ଡାରିନ୍, ଭାଲୁପାଲି ସ୍ଥିତ ଏକ ବାରରେ ଏହି ରେଡ କରାଯାଉଛି । ଗତକାଲି ସକାଳ ୫ଟାରୁ ଏହି ରେଡ ଆରମ୍ଭ ହୋଇଥିବାବେଳେ ଆଜି ମଧ୍ୟ ଜାରି ରହିଛି ।
ସେହିପରି ସୁନ୍ଦରଗଡ଼ ସ୍ଥିତ ସହଯୋଗୀଙ୍କ ଘରେ ବି ଜାରି ରହିଛି ଚଢ଼ାଉ । କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ନେଇ ଚାଲିଛି ଯାଞ୍ଚ । ନବଦାସ ଙ୍କ ବ୍ୟବସାୟୀ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଟ୍ରାନ୍ସପୋର୍ଟ ଅଫିସରେ ଚଢ଼ାଉ କରାଯାଉଛି । ସଞ୍ଜୟ ନନ୍ଦଙ୍କ ମିସନରୋଡ଼ ସ୍ଥିତ ଅଫିସରେ ଆଜି ବି ଚଢ଼ାଉ କରୁଛି ଆୟକର ବିଭାଗ । କୋଇଲା ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରୁଛି ଆୟକର ବିଭାଗର ସ୍ୱତନ୍ତ୍ର ଟିମ୍ । ଆଜିଠୁ କିଛି ମାସ ପୂର୍ବରୁ ସଞ୍ଜୟଙ୍କ ଅଫିସରେ ଆୟକର ବିଭାଗ ରେଡ଼ କରିଥିବା ବେଳେ ଏବେ ପୁଣି ହଠାତ ଚଢ଼ାଉକୁ ନେଇ ଉଠିଛି ଅନେକ ପ୍ରଶ୍ନ । କୁହାଯାଉଛି ନବଙ୍କ ପୁଅର ବେନାମୀ କମ୍ପାନୀରେ ରହିଛି ସଞ୍ଜୟଙ୍କ ଅନେକ କାରବାର ।
ଏସବୁର ପର୍ଦ୍ଦାଫାସ୍ ହେବ । କାରଣ ଆୟକର ବିଭାଗ କବ୍ଜାରେ ଏବେ ବିଶାଲ ଦାସ । ପଚରାଉଚରାରୁ ସବୁ ସମ୍ନାକୁ ଆସିବ ବୋଲି ଅଶା କରାଯାଉଛି । ବିଭିନ୍ନ ଦିଗ ଉପରେ ବିଶାଲଙ୍କୁ ପଚରାଉଚରା କରିପାରେ ଆୟକର ବିଭାଗ ଟିମ୍ ।